ରୋଜଗାର ମେଳାର ଦ୍ଵିତୀୟ ପର୍ଯ୍ୟାୟ, ପିଏମ ମୋଦୀ ୭୧ ହଜାର ଲୋକଙ୍କୁ ଦେବେ ନିଯୁକ୍ତି ପତ୍ର

ନୂଆଦିଲ୍ଲୀ: ଦେଶରେ ଯୁବ ବର୍ଗଙ୍କୁ ରୋଜଗାର ଦେବା ଅଭିଯାନ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂତନ ଚାକିରି ପାଉଥିବା ୭୧ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଚଳିତ ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ୧୮ ମାସ ଭିତରେ କେନ୍ଦ୍ରୀୟ ବିଭାଗଗୁଡିକରେ ୧୦ ଲକ୍ଷ  ନିଯୁକ୍ତି ଦେବାକୁ ଘୋଷଣ କରିଥିଲେ। କେନ୍ଦ୍ର ସରକାରଙ୍କ ରୋଜଗାର ମେଳା ସ୍କିମ ଆଧାରରେ ଏହି ନିଯୁକ୍ତି ପତ୍ର ଦିଆଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ରୋଜଗାର ମେଳା  ଜରିଆରେ ରୋଜଗାର ସୁଯୋଗ ସୃଷ୍ଟି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଉଛନ୍ତି।

ରୋଜଗାର ମେଳା ସ୍କିମ ଆଧାରରେ ଅଧ୍ୟାପକ, ପ୍ରଧ୍ୟାପକ, ନର୍ସିଂ ଅଫିସର, ନର୍ସ, ଡାକ୍ତର, ରେଡିଓଗ୍ରାଫର୍ସ, ଫାର୍ମାସିଷ୍ଟମ ଏବଂ ଅନ୍ୟ ବୈଷେୟିକ ଏବଂ ପାରା ମେଡିକାଲ୍ର ୭୧ ହଜାର ପଦରେ ନିଯୁକ୍ତି ଦିଆଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅର୍ଦ୍ଧ ସୈନିକ ବଳରେ ବଡ ସଂଖ୍ୟାରେ ନିଯୁକ୍ତି ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କର୍ମଯୋଗୀ ପ୍ରାରମ୍ଭ ମୋଡ୍ୟୁଲ୍ ଲଞ୍ଚ୍ କରିବେ। ଏହା ଅନଲାଇନ୍ ଓରିଏନଟେସନ କୋର୍ସ ହେବ, ଯାହାରି ଆଧାରରେ କେନ୍ଦ୍ର ସରକାର ସମସ୍ତ ବିଭାଗରେ ନୂତନ ନିଯୁକ୍ତି ପାଉଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ। ଏହି ମୋଡ୍ୟୁଲ୍ ଜରିଆରେ କର୍ମଚାରୀଙ୍କୁ କୋଡ୍ ଅଫ କଣ୍ଡକ୍ଟ ଏବଂ ଓ୍ଵାର୍କପ୍ଲେସ୍ ଏଥିକ୍ସ ବିଷୟରେ ସୂଚନା ଦିଆଯିବ। ସରକାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗୁଜରାଟ ଏବଂ ହିମାଚଳ ପ୍ରଦେଶକୁ ବାଦ୍ ଦେଇ ସମଗ୍ର ଦେଶରେ ୪୫ଟି ସ୍ଥାନରେ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।