ସବୁ ଦେଶରେ ରହିଛି ପିଲାଙ୍କ ବିରୁଦ୍ଧରେ ଜାତିବାଦ ଏବଂ ଭେଦଭାବ

ନୂଆଦିଲ୍ଲୀ: ବିଶ୍ୱ ଶିଶୁ ଦିବସରେ ୟୁନିସେଫ ପିଲାଙ୍କ ଉପରେ ହେଉଥିବା ଭେଦଭାବ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ କୁହାଯାଇଛି ଯେ, ସାରା ଦୁନିଆରେ ଜାତି, ଭାଷା ଏବଂ ଧର୍ମ ଆଧାରରେ ପିଲାଙ୍କ ସହ ଭେଦଭାବ କରାଯାଉଛି । ଏହାସହ ବର୍ଣ୍ଣବୈଷମ୍ୟକୁ ନେଇ ମଧ୍ୟ ଭେଦଭାବ କରାଯାଉଛି ।

ପିଲାଙ୍କ ଉପରେ ପଡୁଥିବା ଭେଦଭାବର ପ୍ରଭାବକୁ ନେଇ ରିପୋର୍ଟରେ ଆକଳନ କରାଯାଇଛି । ବର୍ଣ୍ଣବୈଷମ୍ୟ ଏବଂ ଭେଦଭାବ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜନ୍ମ ପଞ୍ଜିକରଣ ଯାଏଁ ଏହାର ପହଞ୍ଚ ଏବଂ ସାମାନ୍ୟ ନ୍ୟାୟ ପ୍ରାଣାଳୀ ଉପରେ କିପରି ପ୍ରଭାବ ପକାଏ ତାହା ଏଥିରେ ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟରେ ଅଳ୍ପସଂଖ୍ୟକ ଏବଂ ଜାତୀୟ ସମୁହ ମଧ୍ୟରେ ବ୍ୟାପ୍ତ ଅସମାନତା ଉପରେ ମଧ୍ୟ ଆଲୋକପାତ କରାଯାଇଛି ।

ୟୁନିସେଫର କାର୍ଯ୍ୟକାରୀ ନିର୍ଦ୍ଦେଶକ କ୍ୟାଥରିନ ରସେଲ କହିଛନ୍ତି, ବ୍ୟବସ୍ଥାଗତ ବର୍ଣ୍ଣବୈଷମ୍ୟ ଏବଂ ଭେଦଭାବ ପିଲାଙ୍କୁ ଅଭାବ ଏବଂ ବହିଷ୍କାରର ବିପଦ ଭିତରକୁ ନେଉଛି । ଯାହା ସେମାନଙ୍କୁ ସାରା ଜୀବନ ଗଭୀର ଆଘାତ ଦେଇପାରେ । ସେ କହିଛନ୍ତି, ଏହା ଆମ ସମସ୍ତଙ୍କୁ ଯନ୍ତ୍ରଣା ଦେଉଛି । ପିଲାଙ୍କ ଅଧିକାର ରକ୍ଷା କରିବା ହିଁ ସମସ୍ତଙ୍କ ପାଇଁ ଏକ ଅଧିକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ନ୍ୟାୟପୂର୍ଣ୍ଣ ଦୁନିଆର ନିର୍ମାଣର ଏକ ମାଧ୍ୟମ ଅଟେ ।

ରିପୋର୍ଟରୁ ଜଣାପଡିଛି ଯେ, ଯେଉଁ ୨୨ ନିମ୍ନ ଏବଂ ମଧ୍ୟମ ଆୟ ଦେଶରେ ପିଲାଙ୍କ ଉପରେ ବିଶ୍ଲେଷଣ କରାଯାଇଛି, ସେମାନଙ୍କ ପଠା ପଢା, କୌଶଳରେ ନିଜ ବୟସର ଅନ୍ୟ ପିଲାଙ୍କଠାରୁ ବହୁ ପଛରେ ଅଛନ୍ତି । ହାରାହାରି ସାତରୁ ୧୪ ବର୍ଷ ଆୟୁଷର ପିଲାଙ୍କ ମଧ୍ୟରେ, କମ ସୁବିଧା ପାଉଥିବା ପିଲାଙ୍କ ତୁଳନାରେ ଅଧିକ ସୁବିଧା ପାଉଥିବା ପିଲାଙ୍କ ପାଠନ କୌଶଳ ଦୁଇ ଗୁଣା ଅଧିକ ଥିବା ଜଣାପଡିଛି ।