ଆସୁଛି ବଡ଼ ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

୬ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର, ୦୮/୦୮: ପୁଣି ସୃଷ୍ଟି ହେବ ଆଉ ଏକ ଲଘୁଚାପ। ଗାଙ୍ଗେୟ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହାଫଳରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ଆଇଏମଡିର ସୂଚନା ଅନୁଯାୟୀ, ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଲଘୁଚାପ ହେବ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହି ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ, ସଂଲଗ୍ନ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏ ନେଇ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେଗୁଡ଼ିକ ହେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ।

ସେହିପରି ପ୍ରବଳ ବର୍ଷା ପାଇଁ କିଛି ଜିଲ୍ଲାକୁ ହେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା ଏବଂ ବଲାଙ୍ଗୀର |

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ଝଡ଼ବର୍ଷା ଏବଂ ପ୍ରବଳ ପବନ ବହିବା ନେଇ ପାଣିପାଗ କାର୍ଯ୍ୟାଳୟ ସତର୍କ କରାଇଛି। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

ଏ ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି।