ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ଜଣ କାଉଡିଆଙ୍କ ମୃତ୍ୟୁ
ଧକ୍କା ଦେଇ କାର ଚାଳକ ଫେରାର, ନ୍ୟାୟ ଦାବିରେ ଜାତୀୟ ରାଜପଥ ଅବରୋଧ
ଚଣ୍ଡିଗଡ଼, ୦୯/୦୮: ପଞ୍ଜାବର ଫତେଗଡ଼ ସାହିବ ଜିଲ୍ଲା ଅନ୍ତର୍ଗତ ସିରହିନ୍ଦରେ ରବିବାର ତଡ଼କାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗଙ୍ଗୋତ୍ରୀରୁ ପବିତ୍ର ଜଳ ଧରି ଫେରୁଥିବା ବେଳେ କାର ଧକ୍କାରେ ତିନି ଜଣ କାଉଡିଆଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।
ରବିବାର ରାତି ପ୍ରାୟ ୨:୧୫ ମିନିଟ୍ ସମୟରେ ସିରହିନ୍ଦ ଜିଟି ରୋଡ୍ରେ ଦାଦା ମୋଟର୍ସ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଫରିଦକୋଟ ଜିଲ୍ଲାର କୋଟକପୁରାରୁ ଆସିଥିବା ଛଅ ଜଣ କାଉଡିଆଙ୍କ ଏକ ଦଳ ଉତ୍ତରାଖଣ୍ଡର ଗାଙ୍ଗୋତ୍ରୀରୁ ପବିତ୍ର ଜଳ ଆଣି ଘରକୁ ଫେରୁଥିଲେ। ସେମାନେ ଜାତୀୟ ରାଜପଥ କଡ଼ରେ ଚାଲି ଚାଲି ଯାଉଥିବା ବେଳେ ପଛରୁ ଆସୁଥିବା ଏକ ଦ୍ରୁତଗାମୀ କାର୍ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଧକ୍କା ଦେଇଥିଲା।
ଏହି ଭୟଙ୍କର ଧକ୍କାରେ ତିନି ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ଆହତଙ୍କୁ ତୁରନ୍ତ ଫତେଗଡ଼ ସାହିବ ସିଭିଲ୍ ହସ୍ପିଟାଲ୍କୁ ନିଆଯାଇଥିଲା। ମୃତ କାଉଡିଆମାନେ ହେଉଛନ୍ତି ମହିନ୍ଦର ପାଲ, ଦୀପକ କୁମାର, ଜଗଦୀଶ ମିତ୍ତଲ।
ମୃତକ ସମସ୍ତେ ଫରିଦକୋଟ ଜିଲ୍ଲାର ବାସିନ୍ଦା। ଦୁର୍ଘଟଣା ପରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସିରହିନ୍ଦ ପୋଲିସ ଏହି ଘଟଣାରେ ତଦନ୍ତ ଚଳାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ବାସିନ୍ଦା ଏବଂ ଅନ୍ୟ କାଉଡିଆମାନେ ଘଟଣାସ୍ଥଳରେ ଏକତ୍ରିତ ହୋଇ ନ୍ୟାୟ ଦାବି କରିଛନ୍ତି। ସେମାନେ ଗାଡ଼ି ଚାଳକକୁ ତୁରନ୍ତ ଗିରଫ ଦାବି କରି ଜାତୀୟ ରାଜପଥ ଅବରୋଧ କରିଛନ୍ତି।