ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କ ବଦଳି ପାଇଁ ସୁପାରିସ

ବଦଳି ନେଇ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ

ନୂଆଦିଲ୍ଲୀ, ୦୯/୦୮: ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ଦୁଇ ଜଣ ବିଚାରପତିଙ୍କୁ ଅନ୍ୟ ରାଜ୍ୟର ହାଇକୋର୍ଟକୁ ବଦଳି କରିବା ପାଇଁ ସୁପାରିସ୍ କରିଛି। ୬ ଅଗଷ୍ଟରେ ଅନୁଷ୍ଠିତ କଲେଜିୟମ ବୈଠକରେ ଏହି ସୁପାରିଶ ଗ୍ରହଣ କରାଯାଇଥିଲା। କିନ୍ତୁ ୯ ଅଗଷ୍ଟରେ ଏହା ସରକାରୀ ଭାବେ ପ୍ରକାଶ ପାଇଛି।

ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଓଡ଼ିଶା ହାଇକୋର୍ଟରୁ ଗୁଜରାଟ ହାଇକୋର୍ଟକୁ ବଦଳି କରାଯିବ। ସେ ମୂଳତଃ ଗୌହାଟି ହାଇକୋର୍ଟର ବିଚାରପତି ଥିଲେ। ୨୦୨୫ ମସିହା ଜୁଲାଇରେ ସେ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଥିଲେ ଏବଂ ୨୧ ଜୁଲାଇ ୨୦୨୫ରେ ଶପଥ ଗ୍ରହଣ କରିଥିଲେ। ସେ ୨୭ ଅଗଷ୍ଟ ୨୦୨୭ରେ ଅବସର ନେବେ।

ଜଷ୍ଟିସ୍ କୃଷ୍ଣରାମ ମହାପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟରୁ ଛତିଶଗଡ଼ ହାଇକୋର୍ଟକୁ ବଦଳି କରାଯିବ। ସେ ୧୭ ଏପ୍ରିଲ ୨୦୧୫ରୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି। ସେ ୧୭ ଏପ୍ରିଲ ୨୦୨୭ରେ ଅବସର ଗ୍ରହଣ କରିବେ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ କଲେଜିୟମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଚାରିଟି ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ମଧ୍ୟ ସୁପାରିସ୍ କରାଯାଇଥିଲା।