ଟନେଲ ଧସି ମାଡ଼ି ଆସିଲା ପାଣି, କାଦୁଅ

୭ ମୃତ, ୧୪ ଜଣ ଆହତ

ଡେରାଡୁନ, ୧୪/୦୮: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ପିପଲକୋଟି ଅଞ୍ଚଳରେ ଥିବା ବିଷ୍ଣୁଗଡ଼-ପିପଲକୋଟି ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟେଲ୍ ରେସ୍ ଟନେଲ୍ ଭୁଶୁଡ଼ି ଏକ ବଡ଼ ଦୁର୍ଘଟଣା ଘଟିଛି। କାଦୁଅ ଓ ପାଣି ମାଡ଼ି ଆସିବାରୁ ଏଥିରେ ଅନେକ ଶ୍ରମିକ ଫସିଯାଇଥିଲେ ଏବଂ ଅତି କମରେ ୭ ଜଣଙ୍କ ମୃତ୍ୟୁ ହୋଇଛି।

ଚମୋଲି ଜିଲ୍ଲାର ପିପଲକୋଟି ନିକଟସ୍ଥ ମାୟାପୁରରେ ତେହରି ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ୍ ର ବିଷ୍ଣୁଗଡ଼-ପିପଲକୋଟି ୪୪୪ ମେଗାୱାଟ୍ ଜଳବିଦ୍ୟୁତ୍ ପ୍ରକଳ୍ପର ଟେଲ୍ ରେସ୍ ଟନେଲ୍ ହିନ୍ଦୁସ୍ତାନ୍ କନଷ୍ଟ୍ରକ୍ସନ୍ କମ୍ପାନୀ ଦ୍ୱାରା ନିର୍ମାଣ କରାଯାଉଥିଲା। କିନ୍ତୁ ଟନେଲ୍ ଉପରେ ଭୂସ୍ଖଳନ ହେବାରୁ ପ୍ରାୟ ୧.୪-୧.୫ କିମି ଭିତରେ ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା। ଯାହା ଫଳରେ ହଠାତ୍ ବହୁତ ପରିମାଣର ମାଟି, କାଦୁଅ ଓ ପାଣି ଟନେଲ୍ ଭିତରକୁ ପ୍ରବେଶ କରିଥିଲା। ଯେଉଁଥିପାଇଁ ଶ୍ରମିକମାନେ ସେଠାରୁ ବାହାରିବା ପାଇଁ ସମୟ ପାଇନଥିଲେ।

ସେହି ସମୟରେ ଟନେଲ୍ ଭିତରେ ପ୍ରାୟ ୨୨ ଜଣ ଶ୍ରମିକ କାମ କରୁଥିଲେ। ୧୪ ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ ଜଣେ ଫସିଥିବା ଆଶଙ୍କା କରାଯାଉଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।