ବନ୍ୟାରେ ୫ ଲକ୍ଷ ୧୫ ହଜାର ଲୋକ ପ୍ରଭାବିତ: ମୁଖ୍ୟ ଶାସନ ସଚିବ

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ

ବନ୍ୟା ପାଇଁ ସରକାରୀ ଅଫିସରଙ୍କ ଛୁଟି ବାତିଲ

ଭୁବନେଶ୍ୱର, ୧୬/୦୮: ବର୍ଷା ଓ ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରେସ୍‌ମିଟ୍ କରି ସୂଚନା ଦେଇ କହିଛନ୍ତି, ଆହୁରି ୩ ଦିନ ରାଜ୍ୟରେ ବର୍ଷା ଲାଗି ରହିବ। ୪ଟି ଜିଲ୍ଲାକୁ ରେଡ୍‌ ଓ ଅନ୍ୟାନ୍ୟ କିଛି ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

ତେଣୁ ସବୁ ଜିଲ୍ଲାପାଳମାନଙ୍କୁ ଆଗୁଆ ପ୍ରସ୍ତୁତି ପାଇଁ କୁହାଯାଇଛି। ତଦାରଖ ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଅଧିକାରୀ ଛୁଟି ନେଇପାରିବେନି। ବର୍ଷା ଓ ବନ୍ୟା ପାଇଁ ସରକାରୀ ଅଫିସରଙ୍କ ଛୁଟି ବାତିଲ କରାଯାଇଛି। ଯେଉଁମାନେ ଛୁଟିରେ ଅଛନ୍ତି ଫେରି ଆସିବାକୁ ନିର୍ଦ୍ଦେଶ ରହିଛି।

ଜୁନ ପ୍ରାରମ୍ଭରୁ ୧୬ ଅଗଷ୍ଟ ଭିତରେ ୯୫୩ ମିମି ବର୍ଷା ହୋଇଛି। ସାଧାରଣତଃ ଏହି ସମୟ ଭିତରେ ୭୪୯ ମିମି ବର୍ଷା ହୋଇଥାଏ। ତେଣୁ ମୋଟାମୋଟି ଭାବେ ଏଯାବତ ୨୭% ଅଧିକ ବର୍ଷା ହୋଇଛି।

ବନ୍ୟାରେ ୫ଲକ୍ଷ ୧୫ହଜାର ଲୋକେ ପ୍ରଭାବିତ ହୋଇଛନ୍ତି।ବନ୍ୟାରେ ୪୯ ବ୍ଲକର ୩୩୧ ପଞ୍ଚାୟତ ଅଧୀନ ୯୪୭ ଗାଁ ପ୍ରଭାବିତ ହୋଇଛି। ୫ଟି ସହରାଞ୍ଚଳ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି। ୨ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ୨୯୯ଟି ରିଲିଫ କ୍ୟାମ୍ପ ପଡ଼ିଛି, ଲୋକଙ୍କୁ ଖାଦ୍ୟ ଓ ଔଷଧ ଦିଆଯାଉଛି।

୩୭ଟି ଓଡ୍ରାଫ୍‌, ୧୭ଟି NDRF ଟିମ୍ ମୁତୟନ ଅଛନ୍ତି। ବିଭିନ୍ନ ସ୍ଥାନରେ ୩୬ଟି ରାପିଡ୍‌ ରେସ୍‌ପନ୍ସ ଟିମ୍ ମୁତୟନ ଅଛନ୍ତି। ଆବଶ୍ୟକ ହେଲେ ଆହୁରି ଟିମ୍ ପଠାଯିବ।

ଭଦ୍ରକ, ବାଲେଶ୍ବର ଓ ଯାଜପୁରକୁ ୩ ବରିଷ୍ଠ ଅଧିକାରୀ ଯିବେ। ଜଳ ସମ୍ପଦ ବିଭାଗର ଯନ୍ତ୍ରୀଙ୍କୁ ମଧ୍ୟ ତଦାରଖ ଦାୟିତ୍ବ ଦିଆଯିବ। ଅତିରିକ୍ତ ବରିଷ୍ଠ ଯନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀ ଯାଇଛନ୍ତି।