କଟକ, ୧୬/୦୮: ଅନ୍ତରୀଣ ଡିଜିପି ଭାବେ ଦାୟିତ୍ବ ନେଲେ ବିନୟତୋଷ ମିଶ୍ର। କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର। ଦାୟିତ୍ୱ ହସ୍ତାନ୍ତର କଲେ ବିଦାୟୀ ଡିଜିପି ୱାଇ.ବି ଖୁରାନିଆ।
ୱାଇ.ବି. ଖୁରାନିଆ ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ। ସେ ୨୦୨୪ ଅଗଷ୍ଟ ୧୬ରୁ ଓଡ଼ିଶାର ଡିଜିପି ଭାବେ ଦାୟିତ୍ୱରେ ଥିଲେ। ତାଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ଆଜି ଶେଷ ହେବା ସହ ସେ ଅବସର ନେଇଛନ୍ତି।
ବିନୟତୋଷ ମିଶ୍ର ବର୍ତ୍ତମାନ ଓଡ଼ିଶା କ୍ୟାଡରର ୧୯୯୩ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ। ସେ ସିଆଇଡି ଓ କ୍ରାଇମବ୍ରାଞ୍ଚର ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ରାଜ୍ୟ ସରକାର ତାଙ୍କୁ ଡିଜିପିର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି।
ନୂତନ ଡିଜିପି ଚୟନ ନେଇ ସୁପ୍ରିମକୋର୍ଟ ଅସ୍ଥାୟୀ ରୋକ ଲଗାଇଥିବା ବେଳେ ରାଜ୍ୟ ସରକାର ବିନୟତୋଷ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ବ ନ୍ୟସ୍ତ କରିଥିଲେ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ।
ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରକ୍ରିୟା ଏବେ ଚୂଡ଼ାନ୍ତ ହୋଇନାହିଁ। UPSC ପକ୍ଷରୁ ପ୍ୟାନେଲ୍ ଚୟନ ପ୍ରକ୍ରିୟାକୁ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଆଗକୁ ନ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତୀ ପ୍ରକ୍ରିୟା ଆଗକୁ ବଢ଼ିବ।