ଯାଜପୁର, ୧୬/୦୮: ବିଞ୍ଝାରପୁର ଥାନା ପରିସରରୁ ଜଣେ ଅଭିଯୁକ୍ତ ଫେରାର ହୋଇଯିବା ଘଟଣାକୁ ନେଇ ପୋଲିସ ବିଭାଗରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଏସ୍ଆଇ ରାଧାକାନ୍ତ ମାଝୀ ଏବଂ କନେଷ୍ଟବଳ ସୁନୀଲ କୁଲୁଙ୍କୁ ନିଲମ୍ବିତ କରାଯାଇଛି।
ସୂଚନା ଅନୁସାରେ, ବିଞ୍ଝାରପୁର ଅଞ୍ଚଳରେ ଘଟିଥିବା ସିରିଜ୍ ଚୋରି ମାମଲାର ତଦନ୍ତ ସମୟରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଧରିଥିଲା। ଗତ କାଲି ଅଭିଯୁକ୍ତ ପୋଲିସ ହେପାଜତରୁ ଖସି ପଳାଇଥିଲା। ଥାନା ପରିସରରୁ ଅଭିଯୁକ୍ତ ଫେରାର ହୋଇଯିବା ଘଟଣା ପରେ ପୋଲିସର ସୁରକ୍ଷା ବ୍ୟବସ୍ଥା ଓ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଥିଲା।
ଘଟଣାକୁ ଗୁରୁତ୍ୱର ସହ ନେଇ ବିଭାଗୀୟ ସ୍ତରରେ ତଦନ୍ତ କରାଯାଇଥିଲା। ତଦନ୍ତରେ କର୍ତ୍ତବ୍ୟରେ ଅବହେଳା ହୋଇଥିବା ଅଭିଯୋଗ ଆସିବା ପରେ ଏଏସ୍ଆଇ ରାଧାକାନ୍ତ ମାଝୀ ଓ କନେଷ୍ଟବଳ ସୁନୀଲ କୁଲୁଙ୍କୁ ନିଲମ୍ବିତ କରାଯାଇଛି।
ଅନ୍ୟପଟେ, ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଲାସୀ ଅଭିଯାନ ଜୋରଦାର କରାଯାଇଛି। ସିରିଜ୍ ଚୋରି ମାମଲା ସହ ଅଭିଯୁକ୍ତଙ୍କ ଫେରାର ଘଟଣାର ମଧ୍ୟ ତଦନ୍ତ ଜାରି ରହିଛି। ଥାନା ପରିସରରୁ ଜଣେ ଅଭିଯୁକ୍ତ କିପରି ଫେରାର ହେଲେ ଏବଂ ଏଥିରେ ଆଉ କାହାର ଅବହେଳା ରହିଛି କି ନାହିଁ, ସେନେଇ ମଧ୍ୟ ଯାଞ୍ଚ କରାଯାଉଛି।