ଲକ୍ଷ୍ନୌ, ୩୧/୦୮: ଉତ୍ତରପ୍ରଦେଶର ଶାମଲିରେ ହରିୟାଣୀ ଗାୟକ ତଥା ୟୁଟ୍ୟୁବର ଅଙ୍କିତ ବଲିୟାଁ ହତ୍ୟାକାଣ୍ଡରେ ପୋଲିସକୁ ବଡ଼ ସଫଳତା ମିଳିଛି। ଅଙ୍କିତଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଦୁଇ ଶୁଟର ସୁମିତ ଓ ମୋହିତଙ୍କୁ ଉତ୍ତରପ୍ରଦେଶ ଏସଟିଏଫ ଏବଂ ପୋଲିସର ମିଳିତ ଟିମ୍ ଏନକାଉଣ୍ଟରରେ ନିହତ କରିଛି। ସୋମବାର ସକାଳେ ଶାମଲିର ଶିଳ୍ପାଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିଲା।
ସୂଚନା ଅନୁସାରେ, ଅଙ୍କିତ ବଲିୟାଁଙ୍କ ହତ୍ୟାକାଣ୍ଡରେ ମୋଟ ୪ ଜଣ ସୁଟର ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ସୁମିତ ଓ ମୋହିତଙ୍କୁ ଏସଟିଏଫ ଟ୍ରାକ୍ କରିବା ପରେ ଏନକାଉଣ୍ଟର କରାଯାଇଥିଲା। ପୋଲିସର କହିବା ଅନୁସାରେ, ଦୁଇ ଅଭିଯୁକ୍ତଙ୍କ ମୁଣ୍ଡରେ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା ହୋଇଥିଲା। ଉଭୟ ହରିୟାଣାର ସୋନିପତ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।
ଅଙ୍କିତ ବଲିୟାଁଙ୍କୁ ଅଗଷ୍ଟ ୨୬ ତାରିଖରେ ଶାମଲିର ଏକ ଜିମ୍ ବାହାରେ ଗୁଳିମାଡ କରାଯାଇଥିଲା। ତାଙ୍କ ଉପରେ ୪ ଜଣ ଆକ୍ରମଣକାରୀ ଗୁଳି ଚଳାଇଥିଲେ। ଘଟଣା ପରେ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ। ଏହାପରେ CCTV ଫୁଟେଜ୍ ଆଧାରରେ ପୋଲିସ ସୁଟରମାନଙ୍କୁ ଚିହ୍ନଟ କରିଥିଲା।
ପୋଲିସର ସୂଚନା ଅନୁସାରେ, ଅଙ୍କିତଙ୍କ ହତ୍ୟା ପରେ ସୁମିତ ଓ ମୋହିତ ବାଘପତ ଏବଂ ଲୋନିକୁ ପଳାଇଥିବା ସୂଚନା ମିଳିଥିଲା। ପରେ ସେମାନେ ସୋନିପତକୁ ଯିବାକୁ ଚେଷ୍ଟା କରୁଥିବାବେଳେ ଏସଟିଏଫ ଓ ପୋଲିସ ଟିମ୍ ସେମାନଙ୍କୁ ଘେରିଥିଲା। ଏହି ସମୟରେ ଅଭିଯୁକ୍ତମାନେ ଗୁଳି ଚଳାଇଥିବାରୁ ପୋଲିସ ମଧ୍ୟ ନିଜ ସୁରକ୍ଷା ପାଇଁ ଗୁଳି ଚଳାଇଥିଲା। ଏଥିରେ ଉଭୟ ଆହତ ହୋଇଥିଲେ ଏବଂ ପରେ ହସ୍ପିଟାଲରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।
ଏହି ଘଟଣାରେ ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଖବର ମିଳିଛି। ଘଟଣାସ୍ଥଳରୁ ପୋଲିସ ଅନେକ ସାମଗ୍ରୀ ଜବତ କରିଛି। ତେବେ ସୁମିତ ଓ ମୋହିତ ନିହତ ହେବା ପରେ ବର୍ତ୍ତମାନ ଅନ୍ୟ ଦୁଇ ସୁଟରଙ୍କୁ ଧରିବା ପାଇଁ ପୋଲିସ ଅଭିଯାନ ଜାରି ରଖିଛି।