କେନ୍ଦୁଝର, ୩୧/୦୮: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଥିବା କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ (DLO) ଆକାଶ ବିଷୋୟୀଙ୍କ ବିରୋଧରେ ଜୋରଦାର ହେଉଛି ଛାନଭିନ। ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗତକାଲି ଭିଜିଲାନ୍ସ ତାଙ୍କୁ ଧରିବା ପରେ ଆରମ୍ଭ ହୋଇଥିଲା ଖୋଳତାଡ଼। DLO ଆକାଶ ବିଷୋୟୀଙ୍କୁ ଗିରଫ କରାଯାଇଛି।
ତଲାସି ସମୟରେ ଆକାଶଙ୍କ କେନ୍ଦୁଝରସ୍ଥିତ ସରକାରୀ ବାସଭବନରୁ ୭ ଲକ୍ଷ ୨୯ ହଜାର ଟଙ୍କା ନଗଦ ଏବଂ ପ୍ରାୟ ୩୦୦ ଗ୍ରାମ ସୁନା ମିଳିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଜଣେ ବିଦ୍ୟୁତ୍ ଠିକାଦାର TPNODL ଅଧୀନରେ ବୈଦୁତିକ ସଂସ୍ଥାପନ କାମ ପାଇଥିଲେ। ଏହି କାମ ପାଇଁ ଶ୍ରମିକ ନିୟୋଜନ ନିମନ୍ତେ ଲେବର ଲାଇସେନ୍ସର ଆବଶ୍ୟକତା ଥିଲା। ଠିକାଦାର ଜଣକ ଅଗଷ୍ଟ ୧୪ ତାରିଖରେ ଅନଲାଇନ୍ରେ ଲାଇସେନ୍ସ ପାଇଁ ଆବେଦନ କରିଥିଲେ।
ପରେ ଅଗଷ୍ଟ ୧୬ରେ ଲାଇସେନ୍ସର ସ୍ଥିତି ଜାଣିବାକୁ ସେ DLO ଆକାଶ ବିଷୋୟୀଙ୍କୁ ଭେଟିଥିଲେ। ଅଭିଯୋଗ ଅନୁସାରେ, ଲାଇସେନ୍ସ ପ୍ରଦାନ ପାଇଁ DLO ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଠିକାଦାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଆକାଶ ବିଷୋୟୀଙ୍କୁ ରେଡ୍ ହ୍ୟାଣ୍ଡ ଧରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।
ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଆକାଶ ବିଷୋୟୀଙ୍କ ସହ ଜଡ଼ିତ କେନ୍ଦୁଝରର ସରକାରୀ ବାସଭବନ ଏବଂ ବ୍ରହ୍ମପୁରସ୍ଥିତ ପୈତୃକ ଘରେ ଏକକାଳୀନ ତଲାସି କରାଯାଇଥିଲା। ତଲାସି ସମୟରେ ଅନେକ ସମ୍ପତ୍ତି ଠାବ ହୋଇଛି।