ଜାତିଗତ ରାଜନୀତି କରି ଫସିଲେ ରାହୁଲ !

ରାହୁଲ ଗାନ୍ଧୀଙ୍କ ନାଁରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ, ୩୧/୦୮: ଉତ୍ତରାଖଣ୍ଡର ହଳଦ୍ୱାନୀଠାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ସଭା ପରେ ଆୟୋଜିତ ଏକ ସଫେଇ ଓ ଧାର୍ମିକ ଅନୁଷ୍ଠାନକୁ ‘ଜାତିଗତ ରଙ୍ଗ’ (casteist spin) ଦେବା ଏବଂ ସାମ୍ପ୍ରଦାୟିକ ମନୋଭାବ କ୍ଷୁଣ୍ଣ କରିବା ଅଭିଯୋଗରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାମରେ ଏକ ଏଫ୍‌ଆଇଆର୍ ରୁଜୁ ହୋଇଛି। ଉତ୍ତରାଖଣ୍ଡ ପୁଲିସ ଦ୍ୱାରା ବାରତୀୟ ନ୍ୟାୟ ସଂହିତା ଏବଂ ଏସସି/ଏସଟି (ଅତ୍ୟାଚାର ନିରୋଧ) ଆଇନର ବିଭିନ୍ନ ଧାରାରେ ଏହି ମାମଲା ରୁଜୁ କରାଯାଇଛି।

ସୂଚନା ଅନୁସାରେ, ଅଗଷ୍ଟ ୮ ତାରିଖରେ ହଳଦ୍ୱାନୀର ରାମଲୀଳା ମଇଦାନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କର ଏକ ବିଶାଳ ସମାବେଶ ଆୟୋଜିତ ହୋଇଥିଲା।ସଭା ପରେ ଅଗଷ୍ଟ ୧୧ ତାରିଖରେ ଶ୍ରୀରାମ ସେନା ଧର୍ମାର୍ଥ ସେବା ନ୍ୟାସ ଦ୍ୱାରା ସେହି ସ୍ଥାନରେ ଏକ ସଫେଇ ଅଭିଯାନ ଓ  ଶୁଦ୍ଧିକରଣ କରାଯାଇଥିଲା।

ଅଗଷ୍ଟ ୨୯ ତାରିଖରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ଏହି ପବିତ୍ରୀକରଣ ଘଟଣାକୁ ଅସ୍ପୃଶ୍ୟତା ଏବଂ ଦଳିତବିରୋଧୀ ମନୋଭାବର ପ୍ରତୀକ ବୋଲି କହିଥିଲେ। ସେ କହିଥିଲେ ଯେ ଖଡ୍‌ଗେ ଜଣେ ଦଳିତ ନେତା ହୋଇଥିବାରୁ ବିଜେପି-ଆରଏସ୍‌ଏସ୍‌ ସମର୍ଥିତ ଲୋକମାନେ ସେହି ସ୍ଥଳକୁ ପବିତ୍ରୀକରଣ କରିଛନ୍ତି ଏବଂ ଏଥିପାଇଁ ଏସସି/ଏସପି ଆକ୍ଟରେ ମାମଲା ରୁଜୁ ହେବା ଦରକାର।

ହଳଦ୍ୱାନୀ ସହରର ଜବାହର ନଗରର ବାସିନ୍ଦା ତଥା ବାଲ୍ମୀକି (ଦଳିତ) ସମ୍ପ୍ରଦାୟର ସଦସ୍ୟ ଅମିତ କୁମାରଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି ମାମଲା ରୁଜୁ କରିଛି।

ଅଭିଯୋଗକାରୀଙ୍କ ଅନୁସାରେ, ସଭା ପରେ ମଇଦାନରେ ବିଭିନ୍ନ ଆବର୍ଜନା ପଡ଼ିରହିଥିବାରୁ ଏବଂ ସେଠାରେ ଅଶୋଭନୀୟ ନାରାବାଜି ହୋଇଥିବାରୁ ସମାଜର ସବୁ ବର୍ଗ, ଯେଉଁଥିରେ ଅନେକ ଦଳିତ ଓ ବାଲ୍ମୀକି ଯୁବକ ସାମିଲ ଥିଲେ; ସେମାନେ ସମସ୍ତେ ମିଶି ସ୍ୱଚ୍ଛତା ଅଭିଯାନ ଏବଂ ସାଧାରଣ ଯଜ୍ଞ କରିଥିଲେ।

କିନ୍ତୁ ରାହୁଲ ଗାନ୍ଧୀ ବିନା ଯାଞ୍ଚରେ ଏହି ଧାର୍ମିକ ସଫେଇ କାର୍ଯ୍ୟକୁ ‘ଜାତିଗତ’ ଓ ‘ଅଛୁଆଁ’ର ରୂପ ଦେଇଛନ୍ତି, ଯାହାଦ୍ୱାରା ଦଳିତ ସମ୍ପ୍ରଦାୟର ଲୋକଙ୍କ ଭାବନାକୁ ଆଘାତ ପହଞ୍ଚିଛି ଏବଂ ସମାଜରେ ସାମ୍ପ୍ରଦାୟିକ ତିକ୍ତତା ସୃଷ୍ଟି ହୋଇଛି।