ପୀତବାସ ହତ୍ୟା ମାମଲା: ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ

ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

ବ୍ରହ୍ମପୁର, ୩୧/୦୮: ବ୍ରହ୍ମପୁରର ବହୁଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଜେଡ଼ି ବିଧାୟକ ବିକ୍ରମ ପଣ୍ଡାଙ୍କୁ ଆଶ୍ୱସ୍ତି ମିଳିଛି। ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ଏହି ମାମଲାର ବିଚାର ପ୍ରକ୍ରିୟା ଜାରି ରହିବ।

ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବିକ୍ରମ ପଣ୍ଡା ମୁଖ୍ୟ ଅଭିଯୁକ୍ତ ଥିଲେ। ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ବ୍ରହ୍ମପୁର ବୈକୁଣ୍ଠନଗର ଅଞ୍ଚଳରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଘଟଣା ପରେ ବ୍ରହ୍ମପୁର ପୁଲିସ ତଦନ୍ତ ଆରମ୍ଭ କରି ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏହି ମାମଲାରେ ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଏବଂ ପୂର୍ବତନ ବ୍ରହ୍ମପୁର ମେୟର ଶିବଶଙ୍କର ଦାଶ ଓରଫ ପିଣ୍ଟୁ ଦାଶ ମଧ୍ୟ ସାମିଲ ଥିଲେ।

ପ୍ରଥମେ ବିକ୍ରମ ପଣ୍ଡାଙ୍କ ସମେତ ଅନ୍ୟ କିଛି ଅଭିଯୁକ୍ତ ତଳକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ୨୦୨୫ ଡିସେମ୍ବରରେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍-III କୋର୍ଟ ତାଙ୍କ ସମେତ ୫ ଜଣଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ପରେ ବିକ୍ରମ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟରେ ଦୀର୍ଘ ଶୁଣାଣି ହୋଇଥିଲା। ଏପ୍ରିଲ ୧୫ରେ ମାମଲାରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ମାମଲାର ତଦନ୍ତ ଶେଷ କରି ବ୍ରହ୍ମପୁର ପୁଲିସ ୨୦୨୬ ଜୁନରେ ୩୯୬ ପୃଷ୍ଠାର ଫାଇନାଲ ଚାର୍ଜସିଟ୍ ଦାଖଲ କରିଥିଲା। ଏହା ସହ ୧୬ଟି ପେନ୍‌ଡ୍ରାଇଭ୍‌ରେ ଡିଜିଟାଲ ପ୍ରମାଣ ମଧ୍ୟ କୋର୍ଟରେ ଦାଖଲ କରାଯାଇଥିଲା। ପୁଲିସ ମୋଟ ୧୬ ଜଣଙ୍କୁ ଏହି ମାମଲାରେ ଗିରଫ କରିଛି।