ନୂଆଦିଲ୍ଲୀ, ୦୬/୦୯: ବିବାହ ଭୋଜି ବେଳେ ବଡ଼ ଅଘଟଣ। ସମସ୍ତେ ଖୁସିର ମୁହୂର୍ତ୍ତକୁ ଉପଭୋଗ କରୁଥିବା ବେଳେ ହଠାତ୍ ଯମ ପରି ମାଡ଼ି ଆସିଲା ନିଆଁ। ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ମାତମରେ ପରିଣତ ହେଲା ବିବାହ ଉତ୍ସବ। ଆଫ୍ରିକୀୟ ଦେଶ କଙ୍ଗୋର ରାଜଧାନୀ କିନଶାସାରେ ଏକ ବିବାହ ଭୋଜିରେ ଅଗ୍ନିକାଣ୍ଡ ଘଟି ଅତି କମରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଅନେକ ଆହତ ହୋଇଥିବା ସ୍ଥାନୀୟ ମେୟର କହିଛନ୍ତି।
ଶୁକ୍ରବାର ବିଳମ୍ବିତ ରାତିରେ କିନଶାସାର ଉତ୍ତର ଲିଙ୍ଗୱାଲାରେ ଥିବା ଏକ କୋଠାରେ ଅଗ୍ନିକାଣ୍ଡର ଶନିବାର ପର୍ଯ୍ୟନ୍ତ ପ୍ରକୋପ ଥିଲା। ନିଆଁ କବଳରୁ ଜୀବନକୁ ରକ୍ଷା କରିବା ପାଇଁ ଲୋକମାନେ ଏଣେତେଣେ ଦୌଡ଼ୁଥିବା ବେଳେ କୋଠାର ସଂକୀର୍ଣ୍ଣ କବାଟଗୁଡ଼ିକ ସାଥ୍ ଦେଇନଥିଲା।
ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କଙ୍ଗୋର ଉପପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଜ୍ୟାକମିନ୍ ଶାବାନି କହିଛନ୍ତି ଯେ, “ଏହା ଏକ ଦୁଃଖଦ ଘଟଣା।”