ଇରାନ୍-ଆମେରିକା ସଂଘର୍ଷ ତୀବ୍ର

ହର୍ମୁଜରେ ତୈଳ ଜାହାଜକୁ ନେଇ ବଡ଼ ମୁହାଁମୁହିଁ

ତେହେରାନ, ୦୬/୦୯: ଇରାନ୍ ଓ ଆମେରିକା ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଏବେ ଆହୁରି ଗମ୍ଭୀର ରୂପ ନେଇଛି। ସେପ୍ଟେମ୍ବର ୫ରେ ଇରାନୀୟ IRGC ଦୁଇଟି ଆମେରିକୀୟ ନୌସେନା ଜାହାଜକୁ ବାଲିଷ୍ଟିକ୍ ମିସାଇଲ୍‌ରେ ଟାର୍ଗେଟ୍ କରିଥିବା ଦାବି କରିଛି। ଆମେରିକା କହିଛି, ତାଙ୍କ ଏୟାରକ୍ରାଫ୍ଟ କ୍ୟାରିଅର ଓ ଗାଇଡେଡ୍-ମିସାଇଲ୍ ଡିଷ୍ଟ୍ରଏୟର ଆକ୍ରମଣରୁ ବଞ୍ଚିଯାଇଥିଲା ଏବଂ କୌଣସି ଆମେରିକୀୟ କର୍ମଚାରୀ ଆହତ ହୋଇନାହାନ୍ତି।

ଏହାର ପ୍ରତିଶୋଧରେ ଆମେରିକୀୟ ସେନା ୩ଟି ଇରାନୀୟ ତୈଳ ଟ୍ୟାଙ୍କରକୁ ଟାର୍ଗେଟ୍ କରିଛି। ସେଣ୍ଟକମ ଅନୁସାରେ, ଦୁଇଟି ଟ୍ୟାଙ୍କରକୁ ସ୍ଥାୟୀ ଭାବେ ଅଚଳ କରାଯାଇଛି ଏବଂ ତୃତୀୟ ଖାଲି ଟ୍ୟାଙ୍କରକୁ ଓମାନ୍ ଉପସାଗରରେ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଛି।

ଆମେରିକାର ଦାବି ଅନୁସାରେ, ଟାର୍ଗେଟ୍ ହୋଇଥିବା ଜାହାଜଗୁଡ଼ିକ ମଧ୍ୟରୁ ଗୋଟିଏ ଖାର୍ଗ ଦ୍ୱୀପ ନିକଟରେ, ଦ୍ୱିତୀୟଟି ଜାସ୍କ ନିକଟରେ ଏବଂ ତୃତୀୟଟି ଓମାନ୍ ଉପସାଗରରେ ଥିଲା। ଖାର୍ଗ ଦ୍ୱୀପ ଇରାନର ପ୍ରମୁଖ ତୈଳ ରପ୍ତାନି କେନ୍ଦ୍ର ହୋଇଥିବାରୁ ଏହି ଅଞ୍ଚଳର ସାମରିକ ଗୁରୁତ୍ୱ ଅତ୍ୟଧିକ।

ସେଣ୍ଟକମ୍ କହିଛି, ଏହି ଟ୍ୟାଙ୍କରଗୁଡ଼ିକ IRGCକୁ ଅର୍ଥ ଯୋଗାଉଥିବା ଏକ ‘ଶ୍ୟାଡୋ ନେଟୱର୍କ’ର ଅଂଶ ଥିଲେ। ତେଣୁ ତୈଳ ଜାହାଜଗୁଡ଼ିକୁ ଟାର୍ଗେଟ୍ କରାଯାଇଛି।

ଆମେରିକୀୟ ଆକ୍ରମଣ ପରେ ଇରାନ୍ ମଧ୍ୟ କଡ଼ା ପ୍ରତିକ୍ରିୟା ଦେଇଛି। IRGC ଦାବି କରିଛି ଯେ ଏହା ଗୋଟିଏ ଆମେରିକୀୟ ଏୟାରକ୍ରାଫ୍ଟ କ୍ୟାରିଅର ଓ ଗୋଟିଏ ନୌସେନା ଡିଷ୍ଟ୍ରଏୟରକୁ ମିସାଇଲ୍‌ରେ ଟାର୍ଗେଟ୍ କରିଛି ଏବଂ ଉଭୟ ଜାହାଜ କ୍ଷତିଗ୍ରସ୍ତ ହୋଇଛି।

ଇରାନ୍ ଚେତାବନୀ ଦେଇଛି ଯେ ଆମେରିକା ଯଦି ଇରାନୀୟ ଜାହାଜ ଚଳାଚଳରେ ହସ୍ତକ୍ଷେପ ଜାରି ରଖେ, ତେବେ ଆଗକୁ ଆହୁରି କଠୋର ପ୍ରତିଆକ୍ରମଣ ହୋଇପାରେ।

ଏହି ସଂଘର୍ଷର ସବୁଠାରୁ ବଡ଼ ପ୍ରଭାବ ହର୍ମୁଜ୍‌ ପ୍ରଣାଳୀ ଉପରେ ପଡ଼ିବାର ଆଶଙ୍କା ରହିଛି। ବିଶ୍ୱର ତୈଳ ଓ ଗ୍ୟାସ୍ ପରିବହନ ପାଇଁ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ। ଯୁଦ୍ଧ ଯୋଗୁଁ ଏଠାରେ ଜାହାଜ ଚଳାଚଳ ହ୍ରାସ ପାଇବାରୁ ବିଶ୍ୱ ଶକ୍ତି ବଜାରରେ ଚାପ ବଢ଼ିଛି।

ରିପୋର୍ଟ ଅନୁସାରେ, ଏହି ନୂଆ ମୁହାଁମୁହିଁ ପରେ ବ୍ରେଣ୍ଟ କ୍ରୁଡ୍ ତୈଳ ଦର ପ୍ରାୟ ୯୬ ଡଲାର ପ୍ରତି ବ୍ୟାରେଲ୍ ପହଞ୍ଚିଛି।