ତହସିଲଦାରଙ୍କ ଉପରେ ବାଲି ହାଇୱା ଚଢ଼ାଇବାକୁ ଉଦ୍ୟମ

ଥାନାରେ ତହସିଲଦାରଙ୍କ ଲିଖିତ ଅଭିଯୋଗ

କଟକ, ୧୧/୦୯: ବେଆଇନ ବାଲି ଚାଲାଣ ରୋକିବାକୁ ଯାଇ ତହସିଲଦାରଙ୍କୁ ହାଇୱା ଚଢ଼ାଇ ଦେବାକୁ ଉଦ୍ୟମ ଅଭିଯୋଗ। କଟକ ବାରଙ୍ଗ ତହସିଲ ଅଧୀନ ବେଲଗଛିଆ ବାଲିଘାଟରେ ଏଭଳି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି।

ସୂଚନା ଅନୁସାରେ, ବେଲଗଛିଆ ବାଲିଘାଟରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ଆସିଥିଲା। ଏହାପରେ ବାଲି ଚାଲାଣ ଉପରେ ରୋକ ଲଗାଇବା ପାଇଁ ତହସିଲଦାର ଓ ରାଜସ୍ୱ ବିଭାଗର ଟିମ୍ ଘାଟ ଅଞ୍ଚଳରେ ପହଞ୍ଚିଥିଲେ।

ଅଧିକାରୀମାନେ ବାଲି ବୋଝେଇ ହାଇୱାକୁ ଅଟକାଇବାକୁ ଉଦ୍ୟମ କରୁଥିବା ବେଳେ ହାଇୱା ଚାଳକ ଗାଡ଼ି ନଅଟକାଇ ତହସିଲଦାରଙ୍କ ଆଡ଼କୁ ଗାଡ଼ି ଚଳାଇଥିଲେ। ତହସିଲଦାରଙ୍କ ଉପରେ ହାଇୱା ଚଢ଼ାଇବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ତେବେ ତହସିଲଦାର ଅଳ୍ପକେ ବର୍ତ୍ତି ଯାଇଥିଲେ।

କିନ୍ତୁ ଘଟଣା ପରେ ବେଲଗଛିଆ ବାଲିଘାଟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ବାଲି ଚାଲାଣକୁ ନେଇ ପ୍ରଶାସନ ଓ ବାଲି ବ୍ୟବସାୟୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ସୂଚନା ମିଳିଛି।

ଘଟଣାକୁ ନେଇ ବାରଙ୍ଗ ଥାନାରେ ତହସିଲଦାର ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି। ହାଇୱାଟି କାହାର, ଗାଡ଼ି ଚାଳକ କିଏ ଏବଂ ବେଆଇନ ବାଲି ଚାଲାଣ ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ମଧ୍ୟ ତଦନ୍ତ କରାଯାଉଛି।