ବାରିପଦା, ୧୧/୦୯: ବାରିପଦାରୁ ୨ ଅଡିଟ୍ ଅଫିସରଙ୍କୁ ଧରିଲା ଭିଜିଲାନ୍ସ। ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଯାଉଥିବା ବେଳେ ମାଡ଼ିବସିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍। ଅଟକ ଦୁଇ ଅଫିସର ହେଲେ ଭୁବନେଶ୍ୱର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ କାର୍ଯ୍ୟରତ ଅଡିଟର ପ୍ରଜ୍ଞା ପ୍ରକାଶ ପାତ୍ର ଓ ପ୍ରଶାନ୍ତ ପ୍ରଧାନ।
ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଶ୍ରମ ଓ ଆଦିବାସୀ ହଷ୍ଟେଲର ଅଡିଟ୍ କରିବା ପାଇଁ ଏହି ଦୁଇ ଅଡିଟ୍ ଅଫିସର ବାରିପଦା ଆସିଥିଲେ। ଗତ ପ୍ରାୟ ୮ରୁ ୧୦ ଦିନ ହେବ ସେମାନେ ବାରିପଦାର ଏକ ଲଜରେ ରହି ଅଡିଟ୍ କାର୍ଯ୍ୟ କରୁଥିବା ଜଣାପଡ଼ିଛି।
ତେବେ ଅଡିଟ୍ କାର୍ଯ୍ୟ ସାରି ଫେରିବା ବେଳେ ସେମାନଙ୍କ ପାଖରେ ବିପୁଳ ପରିମାଣର ଟଙ୍କା ଥିବା ନେଇ ଭିଜିଲାନ୍ସ ଟିମ୍କୁ ସୂଚନା ମିଳିଥିଲା। ଏହାପରେ ବାଲେଶ୍ୱର ଭିଜିଲାନ୍ସ ଟିମ୍ ନଜର ରଖିଥିଲା। ଦୁଇ ଅଡିଟ୍ ଅଫିସର ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଯାଉଥିବା ସମୟରେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ଧରିଥିବା ସୂଚନା ମିଳିଛି। ଏହା ପରେ ହୋଟେଲରେ ଚଢ଼ାଉ କରି ଆହୁରି ୮,୮୬,୮୩୦ ଟଙ୍କା ଜବତ କରାଯାଇଛି।
ଧରାପଡ଼ିବା ପରେ ଦୁଇ ଅଡିଟ୍ ଅଫିସରଙ୍କଠାରୁ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି। ଏହି ଟଙ୍କା କେଉଁଠୁ ଆସିଲା, ଅଡିଟ୍ ସହ ଏହାର କୌଣସି ସମ୍ପର୍କ ଅଛି କି ନାହିଁ ଏବଂ ଟଙ୍କା କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ—ସେନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଉଭୟଙ୍କୁ ଭୁବନେଶ୍ୱର ଆଣୁଛି ଭିଜିଲାନ୍ସ ଟିମ୍।