ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ଚର୍ଚ୍ଚା ନଥମୁଣୁ ଆଉ ଏକ ହୃଦୟ ବିଦାରକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମାତ୍ର ଏଥର ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଜଣେ ଯୁବକ। ମାମଲାରେ ପୋଲିସ ଅଭିଯୁକ୍ତ ମାଆ ଏବଂ ପୁଅକୁ ଗିରଫ କରିଛି। ଏହି ହତ୍ୟାକାଣ୍ଡରେ ବି ହତ୍ୟା ପରେ ଶବକୁ ୧୦ ଖଣ୍ଡ କରି ଫ୍ରିଜରେ ରଖାଯାଇଥିଲା। ପରେ ଗୋଟିଏ ଗୋଟିଏ କରି ଶବର ଖଣ୍ଡଗୁଡିକୁ ପୂର୍ବ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଫିଙ୍ଗା ଯାଇଥିଲା।
ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ପୂର୍ବ ଦିଲ୍ଲୀରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ରହସ୍ୟ ଉପରୁ ପରଦା ହଟାଇବାରେ ସଫଳ ହୋଇଛି। ଘଟଣାରେ ମହିଳା ସମେତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ମୃତକଙ୍କ ପତ୍ନୀ ପୁନମ ଏବଂ ପୁଅ ଦୀପକ। ମୃତକଙ୍କ ନାମ ଅଞ୍ଜନ ଦାସ। ସ୍ଵାମୀ ଅଞ୍ଜନ ଦାସ ଅବୈଧ ସଂପର୍କ ରଖୁଥିଲା ବୋଲି ପୁନମ ସନ୍ଦେହ କରୁଥିଲେ।
ଅବୈଧ ସଂପର୍କ ସନ୍ଦେହରେ ଅଞ୍ଜନ ଦାସଙ୍କୁ ନିଶା ବଟିକା ଖୁଆଇ ପରେ ହତ୍ୟା କରାଯାଇଥିଲା। ଏହି ବର୍ବର ହତ୍ୟାକାଣ୍ଡକୁ ମାଆ ଏବଂ ପୁଅ ମିଶି ମେ ୩୦ରେ ଘଟାଇଥିଲେ। ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ସେହି ଫ୍ରିଜକୁ ଜବତ କରିଛି।