ଚୌଦ୍ୱାର ଜେଲରୁ କଏଦୀ ଫେରାର ମାମଲା: ଗିରଫ ହେଲେ ଜେଲ୍ ଅଧୀକ୍ଷକ

ବିଳମ୍ବିତ ରାତିରେ ଗଲେ ଜେଲ

କଟକ, ୨୧/୦୯: ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ବିଚାରାଧୀନ କଏଦୀ ଫେରାର ଘଟଣାରେ ଜେଲ୍‌ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ଗିରଫ କରିଛି ଚୌଦ୍ୱାର ଥାନା ପୋଲିସ। ଗିରଫ ପରେ ତାଙ୍କୁ ରାତି ପ୍ରାୟ ୧୨ଟା ୩୦ରେ ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା। ଏହାପରେ ରାତି ପ୍ରାୟ ୨ଟାରେ ତାଙ୍କୁ ପୁଣି ଚୌଦ୍ୱାର ଜେଲକୁ ଅଣାଯାଇଥିବା ଜଣାପଡ଼ିଛି।

ଗତବର୍ଷ ଅକ୍ଟୋବର ୩ ତାରିଖରେ ଚୌଦ୍ୱାର ଜେଲରେ ଥିବା ଦୁଇ ବିଚାରାଧୀନ କଏଦୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଜେଲରୁ ଫେରାର ହୋଇଯାଇଥିଲେ। ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏହାପରେ ତଦନ୍ତ ଆରମ୍ଭ ହୋଇଥିଲା। ଉଭୟଙ୍କୁ ପରେ ପୋଲିସ ଗିରଫ କରିଥିଲା।

ଫେରାର ଘଟଣାର ତଦନ୍ତ ବେଳେ ଜେଲ୍‌ର ସରକାରୀ ରେକର୍ଡରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ ଆସିଥିଲା। ତତ୍କାଳୀନ ଜେଲର ସନ୍ତୋଷିନୀ ଦାସ ଚୌଦ୍ୱାର ଥାନାରେ ଏତଲା ଦେଇ ସୁଜିତ ରାଉଳଙ୍କ ବିରୋଧରେ ଜେଲର ମିନିଟ୍ ବୁକ୍‌ରେ ତାଙ୍କ ଦସ୍ତଖତ ଜାଲ୍ କରିବା ଏବଂ ଇନ୍‌-ଆଉଟ୍ ରେଜିଷ୍ଟରରେ ଅନିୟମିତତା କରିବା ଭଳି ଅଭିଯୋଗ ଆଣିଥିଲେ।

ପୋଲିସର ଅଭିଯୋଗ ଅନୁସାରେ, କଏଦୀମାନେ ଫେରାର ହୋଇଥିବା ସମୟରେ ଜେଲ୍ ଅଧୀକ୍ଷକ ଡ୍ୟୁଟିରେ ଉପସ୍ଥିତ ନଥିଲେ। ପରବର୍ତ୍ତୀ ସମୟରେ ରେକର୍ଡରେ ତାଙ୍କ ଉପସ୍ଥିତି ଦର୍ଶାଇବା ପାଇଁ ଡ୍ୟୁଟି ରେକର୍ଡରେ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ରହିଛି।

ଏହି ମାମଲାରେ ଗିରଫଦାରୀରୁ ସୁରକ୍ଷା ପାଇଁ ସୁଜିତ ରାଉଳ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ଅଗଷ୍ଟ ୨୯ରେ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ। ପରେ ତାଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦିଆଯାଇଥିଲା। ଏହା ପରେ ଚୌଦ୍ୱାର ପୋଲିସ ତାଙ୍କୁ ଗିରଫ କରିଛି।