ବରଗଡ଼, ୨୧/୦୯: ‘ଓଡ଼ିଆ ଅସ୍ମିତା’ ଆନୁକୂଲ୍ୟରେ ଏବଂ ‘ବଦାନ୍ୟ ବନ୍ଧୁ ସେବା ଟ୍ରଷ୍ଟ’ର ପରିଚାଳନାରେ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ଠାରେ ଏକ ବର୍ଣ୍ଣାଢ଼୍ୟ ‘ଓଡ଼ିଆ ଅସ୍ମିତା ବାର୍ଷିକ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ସାଙ୍ଗରେ ନେଇ ବେଶ୍ ଉତ୍ସାହ ଓ ଆନନ୍ଦର ସହିତ ‘ନୂଆଁଖାଇ ଭେଟଘାଟ୍’ ପାଳନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ରେଡିଓଲୋଜିଷ୍ଟ ବିଭାଗର ଜଣାଶୁଣା ଡାକ୍ତର ତଥା ସମାଜସେବୀ ଡାକ୍ତର ଅଭିଜିତ ଯୋଶୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ‘ସେବାରତ୍ନ ସମ୍ମାନ’ରେ ସମ୍ମାନିତ କରାଯାଇଛି।
ପଦ୍ମଶ୍ରୀ ହଳଧର ନାଗ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଅଧ୍ୟାପକ ସୁଶାନ୍ତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଏଥିସହିତ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ଆଶ୍ରମର ଅନ୍ତେବାସୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଟ୍ରଷ୍ଟର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।