ଧସିଲା ସୁନା ଖଣି, ୧୧ ମୃତ; ୩୦ ଆହତ
ଗୋଟିଏ ସପ୍ତାହରେ ଦୁଇ ଥର ଧସିଲାଣି ଖଣି, ପୂର୍ବରୁ ୮୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା
ସୁଦାନ, ୨୧/୦୯: ସୁଦାନରେ ପୁଣି ଥରେ ଘଟିଛି ଭୟଙ୍କର ସୁନା ଖଣି ଦୁର୍ଘଟଣା। ଦେଶର ଉତ୍ତର-ପୂର୍ବ ଅଞ୍ଚଳର ରେଡ୍ ସି ଷ୍ଟେଟ୍ର ଦୁର୍ଗମ ଓନି ଅଞ୍ଚଳରେ ଏକ ସୁନା ଖଣିର ସୁଡଙ୍ଗ ଧସି ପଡ଼ିବାରୁ ଅତି କମ୍ରେ ୧୧ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଆଉ ୩୦ ଜଣ ଆହତ ହୋଇଥିବାବେଳେ, ଧ୍ୱଂସାବଶେଷ ତଳେ ଆଉ କିଛି ଲୋକ ଫସିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ଅନୁସାରେ, ଶନିବାର ରାତିରେ ଓନି ଅଞ୍ଚଳରେ ଖଣିର ସୁଡଙ୍ଗ ଧସିଥିଲା। ରବିବାର ସୁଦ୍ଧା ଉଦ୍ଧାରକାରୀମାନେ ୧୧ଟି ମୃତଦେହ ଉଦ୍ଧାର କରିଥିବାବେଳେ ୩୦ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ସୁଦାନର ରାଷ୍ଟ୍ରାୟତ୍ତ ଖଣିଜ ସମ୍ପଦ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି। ତେବେ ନିଖୋଜ ଶ୍ରମିକଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ।
ଏହି ଘଟଣାକୁ ନେଇ ଚିନ୍ତା ଆହୁରି ବଢ଼ିଛି, କାରଣ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ସୁଦାନରେ ଏହା ଦ୍ୱିତୀୟ ବଡ଼ ସୁନା ଖଣି ଧସିବା ଘଟଣା। ଏହାର କିଛି ଦିନ ପୂର୍ବରୁ ପଶ୍ଚିମ ସୁଦାନର ୱେଷ୍ଟ କୋର୍ଡୋଫାନ୍ ଅଞ୍ଚଳରେ ଅନ୍ୟ ଏକ ସୁନା ଖଣି ଧସି ପଡ଼ିଥିଲା। ସେହି ଦୁର୍ଘଟଣାରେ ୮୨ ଜଣଙ୍କର ମୃତ୍ୟୁ ହୋଇଥିଲା।
ସୁଦାନ ଆଫ୍ରିକାର ଏକ ପ୍ରମୁଖ ସୁନା ଉତ୍ପାଦକ ଦେଶ। ତେବେ ଦେଶର ଅନେକ ସ୍ଥାନରେ ହଜାର ହଜାର ଛୋଟ ଖଣି ରହିଛି। ଏହି ଖଣିଗୁଡ଼ିକରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ଉଦ୍ଧାର ଉପକରଣର ଅଭାବ ଥିବାରୁ ଏପରି ଦୁର୍ଘଟଣାର ଆଶଙ୍କା ଅଧିକ ରହିଥାଏ।