ପ୍ରବଳ ବର୍ଷା ପାଇଁ ସମସ୍ତ ସହରାଞ୍ଚଳରେ ଆଗୁଆ ପ୍ରସ୍ତୁତି

ସ୍ଵତନ୍ତ୍ର ରିଲିଫ କମିଶନର, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପରାମର୍ଶ ଏବଂ ନିର୍ଦ୍ଦେଶାବଳୀର କଡ଼ା ଅନୁପାଳନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୧/୦୯: ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା କିଛି ଦିନରେ ସମ୍ଭାବ୍ୟ ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ବନ୍ୟା, ଜଳବନ୍ଦୀ ଓ ବର୍ଷାଜନିତ ଅନ୍ୟାନ୍ୟ ସମସ୍ୟାର ମୁକାବିଲା ପାଇଁ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡିକୁ ସମ୍ପୂର୍ଣ୍ଣ ସତର୍କ ରହିବା ସହ ଆଗୁଆ ପ୍ରସ୍ତୁତି ନେବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି । ବିଶେଷକରି ଦକ୍ଷିଣ ଜିଲ୍ଲାଗୁଡ଼ିକର ୟୁ ଏଲ୍ ବି ମାନଙ୍କୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବା ସହ ନାଗରିକଙ୍କ ସୁରକ୍ଷା ଏବଂ ସାଧାରଣ ଜୀବନଯାପନ ଉପରେ ବର୍ଷାଜନିତ ବାଧାକୁ ସର୍ବନିମ୍ନ ରଖିବା ପାଇଁ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ କୁହାଯାଇଛି ।

ସମସ୍ତ ମହାନଗର ନିଗମ କମିଶନର ଓ ପୌର ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକତା ଅନୁଯାୟୀ ତୁରନ୍ତ ନିୟୋଜନ ପାଇଁ ରାପିଡ୍‌ ଆକ୍ସନ୍‌ ଟିମ୍‌ଗୁଡ଼ିକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିହ୍ନଟ ହୋଇଥିବା ତଳିଆ ଓ ଜଳବନ୍ଦୀପ୍ରବଣ ଅଞ୍ଚଳରେ ଆଗୁଆ ପ୍ରତିଷେଧମୂଳକ ବ୍ୟବସ୍ଥା ନେବା ସହ ସେସବୁ ସ୍ଥାନ ଉପରେ ନିରନ୍ତର ନଜର ରଖିବାକୁ କୁହାଯାଇଛି । ଆବଶ୍ୟକ ସମୟରେ ବ୍ୟବହାର ପାଇଁ MPCS ଓ ଅନ୍ୟାନ୍ୟ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ବିପଦପ୍ରବଣ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସମୟୋପଯୋଗୀ ଭାବେ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

ଜଳବନ୍ଦୀ ଓ ବନ୍ୟା ପରିସ୍ଥିତିରେ ତୁରନ୍ତ ମୁକାବିଲା ପାଇଁ ଡି-ୱାଟରିଂ ପମ୍ପ, ଆବଶ୍ୟକ ଯନ୍ତ୍ରପାତି ଓ ଅନ୍ୟାନ୍ୟ ସରଞ୍ଜାମ ସହ ପର୍ଯ୍ୟାପ୍ତ ମାନବ ସମ୍ବଳକୁ ତୟାର ରଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । କ୍ଷେତ୍ରସ୍ତରରେ ପ୍ରସ୍ତୁତି, ସମ୍ପୃକ୍ତ ଟିମ୍‌ଗୁଡ଼ିକ ମଧ୍ୟରେ ପ୍ରଭାବୀ ସମନ୍ୱୟ ଏବଂ ଆବଶ୍ୟକ ସମ୍ବଳର ତୁରନ୍ତ ନିୟୋଜନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି, ଯାହାଦ୍ୱାରା ଆବଶ୍ୟକତା ଦେଖାଦେଲେ ତୁରନ୍ତ ହସ୍ତକ୍ଷେପ କରାଯାଇପାରିବ ।

ସମସ୍ତ ପୌରାଞ୍ଚଳକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ କୁହାଯାଇଛି । ଏଥିସହ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହ ଘନିଷ୍ଠ ସମନ୍ୱୟ ରଖିବା ସହ ଯେକୌଣସି ଆକସ୍ମିକ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।