ଟାଇମ୍ସ ଆଇକନ୍ସ ଅଫ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୁବପିଢ଼ି ପାଇଁ ନୂଆ ସୁଯୋଗ ସୃଷ୍ଟି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ

ବିକାଶ ଯାତ୍ରାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛି ଓଡ଼ିଶା: ରାଜ୍ୟପାଳ

ଭୁବନେଶ୍ୱର, ୨୧/୦୯: ଯୁବପିଢ଼ିଙ୍କୁ ଦକ୍ଷତା, ଜ୍ଞାନ, ଆତ୍ମବିଶ୍ୱାସ ଓ ସୁଯୋଗ ଯୋଗାଇ ଦେବା ଭଳି ଏକ ସୁଦୃଢ଼ ପରିବେଶ ସୃଷ୍ଟି କରିବା ଆବଶ୍ୟକ। ଏହା ମାଧ୍ୟମରେ ଯୁବକ-ଯୁବତୀମାନେ ନବସୃଜନ, ଉଦ୍ୟୋଗୀକରଣ ଓ ସ୍ଥାୟୀ ବିକାଶରେ ନିଜର ଅବଦାନ ରଖିପାରିବେ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି।

ସୋମବାର ଦିନ ଭୁବନେଶ୍ୱରରେ ଆୟୋଜିତ ‘ଟାଇମ୍ସ ଆଇକନ୍ସ ଅଫ୍ ଓଡ଼ିଶା ୨୦୨୬’ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ କହିଥିଲେ ଯେ, ଯୁବପିଢ଼ିଙ୍କୁ ନୂଆ ଉଦ୍ୟୋଗ ପ୍ରତିଷ୍ଠା, ଗବେଷଣା, ଉଦୀୟମାନ ପ୍ରଯୁକ୍ତିର ବ୍ୟବହାର ଏବଂ ପରିବେଶ ଅନୁକୂଳ ଓ ସ୍ଥାୟୀ ସମାଧାନ ବିକଶିତ କରିବା ପାଇଁ ଉତ୍ସାହିତ କରାଯିବା ଦରକାର।

ଓଡ଼ିଶାର ପ୍ରଗତିରେ ଅବଦାନ ରଖୁଥିବା ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକୁ ସମ୍ମାନିତ କରୁଥିବାରୁ ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍‌କୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏଭଳି ପଦକ୍ଷେପ ଉତ୍କର୍ଷତାକୁ ସମ୍ମାନ ଦେବା ସହ ନୂଆ ଆକାଂକ୍ଷା ସୃଷ୍ଟି କରେ ଏବଂ ରାଜ୍ୟର ବିକାଶ ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ମଜଭୁତ କରେ ବୋଲି ସେ କହିଥିଲେ।

ଏଥି ସହିତ ରାଜ୍ୟପାଳ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ସେମିକଣ୍ଡକ୍ଟର, ରୋବୋଟିକ୍ସ, ବାୟୋଟେକ୍ନୋଲୋଜି, କ୍ୱାଣ୍ଟମ୍ ପ୍ରଯୁକ୍ତି, ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଡିଜିଟାଲ୍ ଭିତ୍ତିଭୂମି, ଉନ୍ନତ ଉତ୍ପାଦନ, ମହାକାଶ ପ୍ରଯୁକ୍ତି ଓ ବ୍ଲୁ ଇକୋନୋମି ଭଳି କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ଯୁବପିଢ଼ି ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି।

ଭାରତର ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ରାଜ୍ୟପାଳ କହିଥିଲେ ଯେ, ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଦେଶର ପ୍ରକୃତ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ଏକ ସୁଯୋଗ ସହ ଏକ ଦାୟିତ୍ୱ ମଧ୍ୟ। ଏହାକୁ ନିଯୁକ୍ତି, ନବସୃଜନ, ସମୃଦ୍ଧି ଓ ଉନ୍ନତ ଜୀବନଧାରଣରେ ପରିଣତ କରିବା ଆବଶ୍ୟକ ବୋଲି ସେ କହିଥିଲେ।