ନ୍ୟାୟରୁ ବଂଚିତଙ୍କ ସ୍ୱର ହୁଅନ୍ତୁ: ଆଇନ ଛାତ୍ରଛାତ୍ରୀଙ୍କୁ ଜଷ୍ଟିସ୍ ମହାପାତ୍ରଙ୍କ ପରାମର୍ଶ

ସୋଆ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ ର ୧୬ତମ ଅନୁସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ୨୧/୦୯: ଆଇନର କ୍ଷେତ୍ର ଓ ପରିସର ଦିନକୁ ଦିନ ବ୍ୟାପକ ହେଉଥିବାରୁ ବର୍ତମାନ ଆଇନ ଶିକ୍ଷା ପ୍ରତି ଆକର୍ଷଣ ବୃଦ୍ଧି ପାଇଛି ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର କହିଛନ୍ତି ।

“ଆଇନ ପେସା ଆପଣଙ୍କୁ ନ୍ୟାୟ ସପକ୍ଷରେ ଛିଡ଼ା ହେବା ଏବଂ ନ୍ୟାୟରୁ ବଂଚିତ ଲୋକଙ୍କ ନିମନ୍ତେ ସ୍ୱର ହେବାର ସୁଯୋଗ ପ୍ରଦାନ କରେ,” ରବିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଏସ୍‌ଏନ୍‌ଆଇଏଲ୍‌)ର ୧୬ତମ ଅନୁସ୍ଥାପନ କାର୍ଯ୍ୟକ୍ରମରେ ନୂତନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଜଷ୍ଟିସ୍ ମହାପାତ୍ର ଏହା କହିଥିଲେ ।

“ଆଇନର ଏହି ଅଦ୍ଭୁତ ଜଗତକୁ ଆପଣମାନଙ୍କୁ ସ୍ୱାଗତ,” ବୋଲି କହିବା ସହ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ପାଂଚଟି ମୂଳମନ୍ତ୍ର ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ ।

ଆଇନ କ୍ଷେତ୍ରରେ ସଫଳତା ପାଇଁ ନିଷ୍ଠା, ଧୈର୍ଯ୍ୟ ଓ ଦୃଢ଼ତା ସହିତ ଅଭ୍ୟାସ ଓ କାର୍ଯ୍ୟଦକ୍ଷତା ଆବଶ୍ୟକ । ଏହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଥିଲେ ।

ବିଶିଷ୍ଟ ଆଇନ ବିଶେଷଜ୍ଞ ଫାଲି ଏସ୍‌. ନାରିମାନଙ୍କ ଉକ୍ତିକୁ ଉଦ୍ଧୃତ କରି ଜଷ୍ଟିସ୍ ମହାପାତ୍ର କହିଥିଲେ ଯେ, ଥରେ ଆଇନର ଛାତ୍ର ହେଲେ ଜୀବନବ୍ୟାପୀ ଆଇନର ଛାତ୍ର ହୋଇ ରହିବାକୁ ପଡ଼ିଥାଏ ।

ଯେ କୌଣସି କ୍ଷେତ୍ରରେ ସଫଳତା ପାଇଁ ନିଷ୍ଠା ଓ ଆଗ୍ରହ ଆବଶ୍ୟକ ଏବଂ ଆଇନ ପେସା ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ ବୋଲି ସେ କହିଥିଲେ । ସମାଜ ଆଇନର ଶାସନ ଦ୍ୱାରା ପରିଚାଳିତ ହେଉଥିବାରୁ ଛାତ୍ରଛାତ୍ରୀମାନେ ଧୈର୍ଯ୍ୟର ସହ ଜ୍ଞାନ ଆହରଣ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଆଇନ ପେସାରେ ଆଗକୁ ବଢ଼ିବା ପାଇଁ ଦୃଢ଼ତା ଆବଶ୍ୟକ । ନିଜର ଦକ୍ଷତାକୁ ଶାଣିତ କରିବା ପାଇଁ ନିରନ୍ତର ଅଭ୍ୟାସ ସହ ପେସାଗତ ସଚ୍ଚୋଟତା ବଜାୟ ରଖି ନିଷ୍ଠାର ସହ କାର୍ଯ୍ୟ ସଂପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଜଣେ ଆଇନଜୀବୀଙ୍କୁ ପ୍ରଥମେ ମହକିଲଙ୍କ କଥା ଧ୍ୟାନର ସହ ଶୁଣିବା, ଆଇନଗତ ପ୍ରସଙ୍ଗଗୁଡ଼ିକୁ ପରୀକ୍ଷା କରିବା ଏବଂ ଅଦାଲତରେ ମାମଲା ଯୁକ୍ତି କରିବା ପୂର୍ବରୁ ସମ୍ଭାବନାଗୁଡ଼ିକୁ ତର୍ଜମା କରିବା ଆବଶ୍ୟକ ବୋଲି ସେ କହିଥିଲେ ।

“ଅଦାଲତକୁ ବୁଝାଇବା ପୂର୍ବରୁ ଆପଣଙ୍କୁ ନିଜେ ନିଶ୍ଚିତ ହେବାକୁ ପଡ଼ିବ ଯେ ଆପଣଙ୍କ ଯୁକ୍ତିର ଦୃଢ଼ ଆଧାର ରହିଛି । ଏହାକୁ ଦସ୍ତାବିଜ ଓ ପୂର୍ବର ରାୟ ଦ୍ୱାରା ସମର୍ଥନ କରିବାକୁ ପଡ଼ିବ । ଅଦାଲତକୁ ନିଜ ଯୁକ୍ତି ସହ ଏକମତ କରାଇବାର ଦକ୍ଷତା ଜଣେ ଆଇନଜୀବିଙ୍କ ନିକଟରେ ରହିବା ଆବଶ୍ୟକ,”ବୋଲି ସେ କହିଥିଲେ ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଏହି ବିଶ୍ୱବିଦ୍ୟାଳୟ ଉଚ୍ଚମାନର ଶିକ୍ଷା ଓ ଗବେଷଣା ଉପରେ ଗୁରୁତ୍ୱାରୋପ କରେ ବୋଲି କହିଥିଲେ ।

ଏସ୍‌ଏନ୍‌ଆଇଏଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ କରି କହିଥିଲେ ଯେ ଆଇନ ଏଭଳି ଏକ ପେସା ଯେଉଁଥିରେ ବୌଦ୍ଧିକ ସଚ୍ଚୋଟତା, ସମ୍ବିଧାନ ପ୍ରତି ପ୍ରତିବଦ୍ଧତା, ନୈତିକ ଦାୟିତ୍ୱ ଓ ନ୍ୟାୟ ଆଶା କରୁଥିବା ଲୋକଙ୍କ ପ୍ରତି ସମ୍ବେଦନଶୀଳତା ଆବଶ୍ୟକ ।

ଏସ୍‌ଏନ୍‌ଆଇଏଲ୍ ଏହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାଲୋଚନାତ୍ମକ ଭାବେ ପଢ଼ିବା, ଯୁକ୍ତିସଙ୍ଗତ ଚିନ୍ତା କରିବା, ଦାୟିତ୍ୱର ସହ ଯୁକ୍ତି ଉପସ୍ଥାପନ କରିବା, ପ୍ରଭାବଶାଳୀ ଭାବେ ସଂସୂଚୀତ କରିବା ସହ ସମ୍ବିଧାନ ଓ ଆଇନର ଶାସନର ମର୍ଯ୍ୟାଦା ବଜାୟ ରଖିବାର ମନୋଭାବ ବିକଶିତ କରିବାକୁ ଚେଷ୍ଟିତ ବୋଲି ସେ କହିଥିଲେ । ଏସ୍‌ଏନ୍‌ଆଇଏଲ୍‌ର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଆକାଶ ତ୍ରିଖା ଧନ୍ୟବାଦ ଅର୍ପଣ କରିଥିଲେ ।