ବରଗଡ଼, ୨୨/୦୯: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ର କଟାଭାଲ ପଞ୍ଚାୟତର ପିଇଓ କାର୍ତ୍ତିକେଶ୍ୱର ବେହେରାଙ୍କ ସମ୍ପତ୍ତି ଉପରେ ଭିଜିଲାନ୍ସ ଚଢ଼ାଉ କରିଛି। ଏକାଧିକ ସ୍ଥାନରେ ଏକକାଳୀନ ଚାଲିଥିବା ଏହି ଚଢ଼ାଉରେ ନଗଦ ଟଙ୍କା ସମେତ ବିଭିନ୍ନ ସମ୍ପତ୍ତି ଓ ଦଲିଲପତ୍ର ଯାଞ୍ଚ କରାଯାଉଛି।
ଭିଜିଲାନ୍ସ ସୂଚନା ଅନୁସାରେ, PEO କାର୍ତ୍ତିକେଶ୍ୱର ବେହେରାଙ୍କ ପୈତୃକ ଘର କନ୍ଦାଗଡ଼ ସମେତ ମୋଟ ୬ଟି ସ୍ଥାନରେ ରେଡ୍ ଚାଲିଛି। ଏହି ଚଢ଼ାଉ ସମୟରେ ପୈତୃକ ଘରୁ ୨.୯୮ ଲକ୍ଷ ଟଙ୍କା ନଗଦ ମିଳିଥିବା ସୂଚନା ମିଳିଛି।
ଚଢ଼ାଉରେ ଭିଜିଲାନ୍ସର ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଓ ୨ ଜଣ ଏଏସଆଇଙ୍କ ନେତୃତ୍ୱରେ ଅଧିକାରୀମାନେ ସାମିଲ ହୋଇଛନ୍ତି। ଅଧିକାରୀମାନେ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟରେ ଆବଶ୍ୟକ କାଗଜପତ୍ର ଓ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଯାଞ୍ଚ କରୁଛନ୍ତି।
ସୂଚନା ଅନୁସାରେ, କନ୍ଦାଗଡ଼ସ୍ଥିତ ଦୁଇମହଲା ବାସଭବନ ଓ ପୈତୃକ ଘର, ୬ଟି ରୁମ୍ ବିଶିଷ୍ଟ ଏକ ମାର୍କେଟ୍ କମ୍ପ୍ଲେକ୍ସ ଓ ଗୋଦାମରେ ମଧ୍ୟ ଚଢ଼ାଉ ହୋଇଛି। ସେହିପରି ଏକ ନିର୍ମାଣାଧୀନ ୪ ମହଲା କୋଠା ଏବଂ କଟାଭାଲ ପିଇଓ କାର୍ଯ୍ୟାଳୟରେ ମଧ୍ୟ ଯାଞ୍ଚ ଜାରି ରହିଛି।