ପାତ୍ରପୁର, ୨୨/୦୯ (ସୁରେଶ କୁମାର ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ଏକ ପ୍ରସ୍ତୁତି ବୈଠକ ବିଡିଓ ଲକ୍ଷ୍ମଣ ଚରଣ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପାହାଡ଼ିଆ ପଂଚାୟତ ରାସ୍ତାରେ ମାଟି ଖସିବା ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧା ସୃଷ୍ଟି ଆଶଙ୍କା ନେଇ ବୈଠକରେ ଆଲୋଚନା ହୋଇଥିଲା। ପାହାଡ଼ିଆ ଅଞ୍ଚଳର ଗର୍ଭବତୀଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନେବା ସହିତ କଚ୍ଚାଘରେ ରହୁଥିବା ଲୋକଙ୍କୁ ଆବଶ୍ୟକ ସ୍ଥଳେ ପକ୍କାଘରକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରତି ପଞ୍ଚାୟତରେ ନୋଡାଲ ଅଧିକାରୀଙ୍କ ମାଧ୍ୟମରେ ୨୪ ଘଣ୍ଟିଆ ସେବା, ଶୁଖିଲା ଖାଦ୍ୟ ମହଜୁଦ ଏବଂ ଆପତ୍କାଳୀନ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ କୁହାଯାଇଛି।
ବୈଠକରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ତହସିଲଦାର ଅଶୋକ କୁମାର ପଟ୍ଟନାୟକ, ଏବିଡିଓ ବିଜୟ କୁମାର ପ୍ରଧାନ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ଉପାଧ୍ୟକ୍ଷା ଲଳିତା ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ବିଦ୍ୟୁତ୍, ପାନୀୟଜଳ, ଯୋଗାଣ, ସ୍ୱାସ୍ଥ୍ୟ, ପୁଲିସ, ଅଗ୍ନିଶମ ଓ ପଶୁପାଳନ ବିଭାଗକୁ ସଜାଗ ରହିବାକୁ କୁହାଯାଇଥିଲା। ବିଧାୟକ ଶ୍ରୀ ସାମନ୍ତରା ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ବିଭିନ୍ନ ବିଭାଗ ଅଧିକାରୀ ମାନେ ନିଜ ନିଜର ମତ ରଖି ଥିଲେ।