ସଂସ୍କୃତି ସୁରକ୍ଷା ସମ୍ମାନ ପାଇଲା ଗୁଡେଶିରା ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ
ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପଦ୍ମଶ୍ରୀ ହଳଧର ନାଗ
ବରଗଡ଼, ୨୨/୦୯: ‘ଓଡ଼ିଆ ଅସ୍ମିତା’ ଆନୁକୂଲ୍ୟରେ ଏବଂ ‘ବଦାନ୍ୟ ବନ୍ଧୁ ସେବା ଟ୍ରଷ୍ଟ’ର ପରିଚାଳନାରେ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ଠାରେ ଏକ ବର୍ଣ୍ଣାଢ଼୍ୟ ‘ଓଡ଼ିଆ ଅସ୍ମିତା ବାର୍ଷିକ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ସାଙ୍ଗରେ ନେଇ ବେଶ୍ ଉତ୍ସାହ ଓ ଆନନ୍ଦର ସହିତ ‘ନୂଆଁଖାଇ ଭେଟଘାଟ୍’ ପାଳନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ସଂସ୍କୃତି ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁଡେଶିରା ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡଙ୍କୁ ‘ସଂସ୍କୃତି ସୁରକ୍ଷା ସମ୍ମାନ’ରେ ସମ୍ମାନିତ କରାଯାଇଛି। ଟ୍ରଷ୍ଟ ବୋର୍ଡ ସଭାପତି କିଶୋର ଚନ୍ଦ୍ର ଦାଶ, ଲଲିତ ଆଚାର୍ଯ୍ୟ, ରିତେଶ ଦାଶ ପ୍ରମୁଖ ପୁରସ୍କାର ଗ୍ରହଣ କରିଥିଲେ।
ପଦ୍ମଶ୍ରୀ ହଳଧର ନାଗ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଅଧ୍ୟାପକ ସୁଶାନ୍ତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଏଥିସହିତ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ଆଶ୍ରମର ଅନ୍ତେବାସୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଓଡ଼ିଆ ଅସ୍ମିତା ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।