ନୂଆଦିଲ୍ଲୀ, ୨୨/୦୯: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ। ମହିଳା କ୍ରିକେଟ୍ ଟିମ୍ ଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ୧୪୭ ରନ୍ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି। ସେଥିମଧ୍ୟରୁ ଗୋଟିଏ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୨ ବ୍ରୋଞ୍ଜ ମିଳିଛି।
ଜାପାନର କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୨୧୬ ରନ୍ କରିଥିଲା। ଭାରତୀୟ ଓପନର୍ ସ୍ମୃତି ମନ୍ଧାନା ଜବରଦସ୍ତ ବ୍ୟାଟିଂ କରି ୪୫ ବଲ୍ରୁ ୭୯ ରନ୍ କରିଥିଲେ। ସେହିପରି ଶେଫାଳି ବର୍ମା ୨୯ ବଲ୍ରୁ ୪୮ ରନ୍ କରିଥିଲେ। ଉଭୟେ ପ୍ରଥମ ୱିକେଟ୍ରେ ୯୯ ରନ୍ ଯୋଡ଼ି ଭାରତକୁ ଦୃଢ଼ ଆରମ୍ଭ ଦେଇଥିଲେ।
ଶେଷ ଭାଗରେ ରିଚା ଘୋଷଙ୍କ ବିସ୍ଫୋରକ ବ୍ୟାଟିଂ ଭାରତୀୟ ସ୍କୋରକୁ ୨୦୦ ପାର କରାଇଥିଲା। ରିଚା ମାତ୍ର ୨୨ ବଲ୍ରୁ ଅପରାଜିତ ୪୯ ରନ୍ କରିଥିଲେ। ତାଙ୍କ ଇନିଂସରେ ୬ଟି ଚୌକା ଓ ୩ଟି ଛକା ରହିଥିଲା।
୨୧୭ ରନ୍ର ବିଶାଳ ଲକ୍ଷ୍ୟ ପିଛା କରି ଶ୍ରୀଲଙ୍କା ଭାରତୀୟ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲା। ଶ୍ରୀଲଙ୍କା ଟିମ୍ ୧୫.୪ ଓଭରରେ ମାତ୍ର ୬୯ ରନ୍ରେ ଅଲଆଉଟ୍ ହୋଇଥିଲା। ଫଳରେ ଭାରତ ୧୪୭ ରନ୍ର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା।
ବୋଲିଂରେ ଦୀପ୍ତି ଶର୍ମା ଚମତ୍କାର ପ୍ରଦର୍ଶନ କରି ୪ ଓଭରରେ ୬ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଶେଫାଳି ବର୍ମା ୨ଟି, ଶ୍ରେୟଙ୍କା ପାଟିଲ ୨ଟି ଏବଂ ଶ୍ରୀ ଚରଣୀ ୨ଟି ୱିକେଟ୍ ନେଇଥିଲେ। ଭାରତୀୟ ସ୍ପିନରଙ୍କ ଦବଦବା ଯୋଗୁଁ ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍ଅପ୍ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା।
ଏହି ମ୍ୟାଚ୍ରେ ସ୍ମୃତି ମନ୍ଧାନାଙ୍କ ପାଇଁ ମଧ୍ୟ ଏକ ବିଶେଷ ମୁହୂର୍ତ୍ତ ଥିଲା। ୭୯ ରନ୍ର ଇନିଂସ ସମୟରେ ସେ ଆନ୍ତର୍ଜାତୀୟ କ୍ରିକେଟ୍ରେ ୧୧,୦୦୦ ରନ୍ ପୂରଣ କରିଥିବା ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି। ଏହା ସହ ତାଙ୍କ ନାଁରେ ୩୭ତମ ଟି-୨୦ ଆନ୍ତର୍ଜାତୀୟ ଅର୍ଦ୍ଧଶତକ ମଧ୍ୟ ଯୋଡ଼ି ହୋଇଛି।
ଏହି ବିଜୟ ସହ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏସୀୟ କ୍ରୀଡ଼ାରେ ଲଗାତାର ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ଜିତିଛି। ଏହା ପୂର୍ବରୁ ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ମଧ୍ୟ ଭାରତ ମହିଳା କ୍ରିକେଟ୍ରେ ସ୍ୱର୍ଣ୍ଣ ଜିତିଥିଲା।