ଉଦ୍ଦେଶ୍ୟମୂଳକ ଭାବେ ଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ ଦିଆଯାଇଛି: ବିଜେଡି
ଜାଣିଶୁଣି ପ୍ରକ୍ରିୟାକୁ ଜଟିଳ କରି ଭୋଟରଙ୍କୁ ବାଦ୍ ଦିଆଗଲା
ଏସଆଇଆର ପ୍ରକିୟାର ସ୍ୱଚ୍ଛତା ନେଇ ଉଠିଛି ପ୍ରଶ୍ନବାଚୀ
ଭୁବନେଶ୍ୱର, ୨୨/୦୯: ସ୍ୱତନ୍ତ୍ର ସଘନ୍ ସଂଶୋଧନ (ଏସଆଇଆର ୨୦୨୬) ପ୍ରକିୟାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ତେବେ ଏଥିରେ ଅନେକ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି । ଏନେଇ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ଓ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ ଏସଆଇଆର ପ୍ରକିୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ଶ୍ରୀ ନାୟକ କହିଛନ୍ତି ଯେ, ଯୋଗ୍ୟ ଭୋଟର ମାନଙ୍କ ସ୍ୱାର୍ଥକୁ ବିଜୁ ଜନତା ଦଳ ସର୍ବଦା ଗୁରୁତ୍ୱ ପ୍ରଦାନ କରିଥାଏ । ଉକ୍ତ ସ୍ୱତନ୍ତ୍ର ସଘନ୍ ସଂଶୋଧନ (ଏସଆଇଆର ୨୦୨୬) ପ୍ରକିୟାରେ ଯୋଗ୍ୟ ଭୋଟର ଯେପରି ଭୋଟର୍ ତାଲିକାରୁ ବାଦ ନପଡିବେ, ସେନେଇ ବିଜେଡି ସର୍ବଦା ତତ୍ପରତା ପ୍ରକାଶ କରିଛି । ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବହୁ ପୂର୍ବରୁ ଦଳୀୟ ସ୍ତରରେ ଏସଆଇଆର କମିଟି ଗଠନ କରିଥିଲେ । ଉକ୍ତ ପ୍ରକ୍ରିୟା ଆରମ୍ଭ ସମୟରେ ଟିଟଲାଗଡ ବିଧାୟକ ଶ୍ରୀ ନବୀନ ଜୈନ ଏକ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଥିଲେ । ସ୍ଥାନୀୟ ବିଏଲଓ ମାନେ ବିଜେପି କର୍ମୀ ମାନଙ୍କ ସହ ମିଶି ପ୍ରକ୍ରିୟା କରାଇବେ । ଯେଉଁ ମାନେ ବିଜେପିକୁ ଭୋଟ ଦେଉ ନାହାନ୍ତି, ତାଙ୍କ ନାମକୁ ଭୋଟର ତାଲିକାରୁ ବାଦ ଦିଆଯିବ ବୋଲି ଶ୍ରୀ ଜୈନ ମନ୍ତବ୍ୟ ପ୍ରଦାନ କରିଥିଲେ । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ଦାବି କରିଥିଲା । କିନ୍ତୁ ନିର୍ବାଚନ କମିଶନର କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ । ୨୦୨୫ ମସିହାର ଭୋଟର ତଥ୍ୟକୁ ମ୍ୟାପିଂ କରି ୨୦୨୬ର ଏସଆଇଆର ପ୍ରକିୟା ଆରମ୍ଭ ହୋଇଥିଲା । ଉକ୍ତ ପ୍ରକ୍ରିୟାକୁ ସରଳୀକରଣ କରିବା ବଦଳରେ ଜାଣିଶୁଣି ଜଟିଳ କରାଗଲା । ଯାହା ଫଳରେ ଭୋଟର ମାନେ ଯୋଗ୍ୟ ଭୋଟର ତାଲିକାରୁ ବାଦ୍ ପଡିଲେ । ୨୦୨୫ ଭୋଟର ତାଲିକା ଅନୁଯାୟୀ ମଇ ୧୪ ତାରିଖରେ ଏସଆଇଆର ପ୍ରକିୟା ନୋଟିଫିକେସନ୍ ବେଳକୁ ରାଜ୍ୟରେ ୩କୋଟି ୪୦ଲକ୍ଷ ୭୨,୭୪୪ ଜଣକ ଭୋଟର ତାଲିକା “ୱେବ ସାଇଟରେ ଉପଲବ୍ଧ ରହିଥିଲା । ଯାହାକୁ କି ୨୦୦୨ ଏସଆଇଆର ସହ ମ୍ୟାପିଂ ମଧ୍ୟ କରାଯାଇଥିଲା । ଏସଆଇଆର ପ୍ରକିୟା ଆରମ୍ଭରେ ୩କୋଟି ୧୬ଲକ୍ଷ ଭୋଟର ମ୍ୟାପିଂ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ । ତେବେ ବାକି ଭୋଟର ତାଲିକାରୁ କୁଆଡ଼େ ଗଲେ ବୋଲି ବିଜେଡି ପ୍ରଶ୍ନ କରିଥିଲା । ଏହାପରେ ଫର୍ମ ପୂରଣ ସମୟରେ ଭୋଟର ସଂଖ୍ୟା ୩କୋଟି ୩୩ଲକ୍ଷ ୯୩,୫୩୧ ପହଞ୍ଚିଥିଲା । ତେବେ ଫର୍ମ ପୂରଣ ସମୟରେ ସଠିକ୍ ଢଙ୍ଗରେ ସଚେତନ କରାନଯିବାରୁ ଲୋକ ମାନେ ଆବେଦନ କରିବାରେ ବାଧା ସୃଷ୍ଟି ହୋଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଚିଠା ଭୋଟର ତାଲିକାରେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ଜଣ ଭୋଟର ଅଛନ୍ତି ବୋଲି ପ୍ରକାଶ କରିଥିଲେ । ତେବେ ଆରମ୍ଭ ତଥ୍ୟକୁ ତୁଳନା କରିଲେ ପ୍ରାୟ ୨୭ଲକ୍ଷ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଥିଲା । କିନ୍ତୁ ନିର୍ବାଚନ ଅଧିକାରୀ ୨୦ଲକ୍ଷ ୧୨ ହଜାର ଭୋଟର ତାଲିକାରୁ ବାଦ୍ ପଡ଼ିଥିବା କହିଥିଲେ । ତେବେ ଉକ୍ତ କଥା ଓ ପ୍ରଦତ୍ତ ତଥ୍ୟ ମଧ୍ୟରେ କିଛି ତାଳମେଳ ରହିଲା ନାହିଁ । ଏହାପରେ ଚୂଡାନ୍ତ ପ୍ରକ୍ରିୟା ବେଳକୁ ଏଏସଡିଡି ଭୋଟର ତାଲିକା ପ୍ରସ୍ତୁତି ପାଇଁ ପୂର୍ବ ପରି ବିଏଲ୍ଓ ଏବଂ ବିଏଲଏ ମାନଙ୍କ ବୈଠକ କରାଗଲା ନାହିଁ । ଯାହା ଫଳରେ ଉକ୍ତ ପ୍ରକିୟାର ସଠିକ୍ ଢଙ୍ଗରେ ସ୍ୱଚ୍ଛତା ଅବଲମ୍ୱନ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଏଲ୍ଓ ଏବଂ ବିଏଲଏ ମାନଙ୍କୁ ଭୋଟର୍ ମାନଙ୍କ ଆପତ୍ତି ଅଭିଯୋଗ ସମୟରେ ତାହାକୁ ଚୂଡ଼ାନ୍ତ କରି ତାଲିକା ପ୍ରସ୍ତୁତି କରିବା ବଦଳରେ ଭୋଟର୍ ମାନଙ୍କୁ ବାଦ ଦେବା କାର୍ଯ୍ୟରେ ନିୟୋଜିତ କରାଗଲା । ଆପତ୍ତି ଅଭିଯୋଗ ନେଇ ଗଦା ଗଦା ଫର୍ମ ୭ ଆବେଦନ ହୋଇଥିଲା । କିନ୍ତୁ ବିଜେପି ଦଳ ଇଙ୍ଗିତରେ କାର୍ଯ୍ୟ କରିଲେ । ନିର୍ବାଚନ ଅଧିକାରୀ ବିଜେପି ଦଳୀୟ ନେତୃବୃନ୍ଦଙ୍କ ହାତ ବାରିସି ସାଜି ଭୋଟରଙ୍କୁ ବାଦ ଦିଆଗଲା । ତେବେ ବିଜେଡି ପକ୍ଷରୁ ବାରମ୍ବାର ବିରୋଧ କରି ଅଭିଯୋଗ ପ୍ରଦାନ କରିବାରୁ ଅନେକ ସଂଖ୍ୟାରେ ଯୋଗ୍ୟ ଭୋଟର ତାଲିକାରୁ ବାଦ ପଡିବାରୁ ବଞ୍ଚିତ ରହିଛନ୍ତି । ଓଡ଼ିଶାର ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟର୍ ମାନଙ୍କୁ ତାଲିକାରୁ ବାଦ ଦେବାକୁ ଯଥେଷ୍ଟ ପ୍ରୟାସ କରାଯାଇଛି । ଧାମ ନଗରରେ ଭୋଟରଙ୍କୁ ତାଲିକାରୁ ବାଦ୍ ଦେବାକୁ ପ୍ରୟାସ କରା ଯାଇଥିଲା । ତେବେ ବିଜେଡି ପକ୍ଷରୁ ବିରୋଧ କରିବାରୁ ତାହା ଥମିଥିଲା । ଯଦି ନିର୍ବାଚନ ଅଧିକାରୀ ଉକ୍ତ ପ୍ରକିୟାକୁ ଗୁରୁତ୍ୱର ସହ ନେଇ କାର୍ଯ୍ୟ କରିଥାନ୍ତେ । ତେବେ ଏତେ ପରିମାଣର ଭୋଟର ତାଲିକାରୁ ବାଦ୍ ପଡିନଥାନ୍ତେ । ଏସଆଇଆର ପ୍ରକିୟା ଜରିଆରେ ଉଦେ୍ଦଶ୍ୟ ମୂଳକ ଭାବେ ଭୋଟର ମାନଙ୍କୁ ତାଲିକାକୁ ବାଦ୍ ଦେବା କାର୍ଯ୍ୟ କରାଗଲା ।
ସେହିପରି ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଏସଆଇଆର ପ୍ରକିୟା ଆରମ୍ଭରୁ ଚୁଡାନ୍ତ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଅନୁଧ୍ୟାନ କରାଯାଇଛି । ରାଜ୍ୟ ସାରା ୪୦,୦୦୦ରୁ ଉଦ୍ଧ୍ୱର୍ ବୁଥରେ ଅନୁଧ୍ୟାନ ମଧ୍ୟ କରାଯାଇଛି । ଭୋଟର୍ ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବାରମ୍ବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆପତ୍ତି ଅଭିଯୋଗ ଜଣାଯାଇଛି । ଗତ ୨୦୨୪ ମସିହା ନିର୍ବାଚନ ପୂର୍ବରୁ ଭୋଟର ସଂଖ୍ୟା ୩କୋଟି ୨୬ଲକ୍ଷ ରହିଥିଲା । ତେବେ ନିର୍ବାଚନ ସମୟରେ ତାହା ୩କୋଟି ୩୨ଲକ୍ଷ ହୋଇଥିଲା । ନିର୍ବାଚନ ସରିବାର କିଛି ଦିନ ପରେ ଭୋଟର ସଂଖ୍ୟା ବୃଦ୍ଧି ପାଇ ୩କୋଟି ୩୬ଲକ୍ଷକୁ ଛୁଇଁଥିଲା । ପୁଣି ୨୦୨୫ ମସିହା ବେଳକୁ ତାହା ୩କୋଟି ୪୦ଲକ୍ଷ ୭୨,୭୪୪ ହୋଇଥିଲା । ତେବେ ଏସଆଇଆର ପ୍ରକିୟା ଆରମ୍ଭ ପୂର୍ବରୁ ନିଜେ ନିର୍ବାଚନ ଅଧିକାରୀ ୩କୋଟି ୧୬ଲକ୍ଷ ଭୋଟର ମାନଙ୍କୁ ମ୍ୟାପିଂ କରିଲେ । ପ୍ରାୟ ୨୫ଲକ୍ଷ ଭୋଟର ମାନଙ୍କ ମ୍ୟାପିଂ ନକରି ବାଦ ଦିଆଗଲା । ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏତେ ଜଣ ଭୋଟରଙ୍କୁ କେଉଁ କାରଣରୁ ମ୍ୟାପିଂ କରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଉକ୍ତ ପ୍ରକ୍ରିୟା ଆରମ୍ଭରୁ ପ୍ରାୟ ୨୫ଲକ୍ଷ ଭୋଟରଙ୍କୁ ଯୋଜନାବଦ୍ଧ ଭାବେ ତାଲିକାରୁ ଗାଏବ କରି ଏସଆଇଆର ପ୍ରକିୟା ଆରମ୍ଭ କରିଥିଲେ । ଏସଆଇଆର ପ୍ରକିୟା ଆରମ୍ଭରୁ ହିଁ ପ୍ରକିୟାକୁ ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ ହେରଫେର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଚୂଡାନ୍ତ ସଂଶୋଧନ ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରିଛନ୍ତି । ୨୦ଲକ୍ଷ ୬୬ହଜାର ଭୋଟର ବାଦ୍ ପଡିଥିବା ସୂଚନା ପ୍ରଦାନ କରିଛନ୍ତି । କିନ୍ତୁ ତାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ସେଥିରେ ଅନେକ ତାରତମ୍ୟ ଥିବା ପରିଲକ୍ଷିତ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଚୂଡାନ୍ତ ସଂଶୋଧନ ଭୋଟର ତାଲିକାର ତଥ୍ୟ ସଠିକ୍ ଭାବରେ ପ୍ରଦାନ କରିନାହାନ୍ତି । ଯାହା ଫଳରେ ବିଭିନ୍ନ ଗଣମାଧ୍ୟମରେ ତ୍ରୁଟି ପୂର୍ଣ୍ଣ ତଥ୍ୟ ପ୍ରକାଶିତ ହୋଇଛି । ଏଥି ପାଇଁ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟୀ । ମନଇଚ୍ଛା ଭୋଟର ତଥ୍ୟ ପ୍ରଦାନ କରୁଛନ୍ତି । ୨୭ଲକ୍ଷ ୫୦ ହଜାର ଉଦ୍ଧ୍ୱର୍ ଭୋଟର ଏସଆଇଆର ପ୍ରକିୟାରେ ବାଦ୍ ପଡିଥିବା ବେଳେ ତାହା ଲୁଚାଯାଉଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ତାହାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱ ସହ ଗ୍ରହଣ କରିନାହାନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭୋଟର ହେରଫେର କରିଥିବା ନେଇ ବିଜେଡି ସିଧାସଳଖ ଅଭିଯୋଗ କରିଛି । କେଉଁ ଅଦୃଶ୍ୟ ବ୍ୟକ୍ତିଙ୍କ ଦ୍ୱାରା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପରିଚାଳିତ ହେଉଛନ୍ତି । ଉକ୍ତ ଭୋଟର ମାନଙ୍କୁ ତାଲିକାରୁ କେଉଁ କାରଣରୁ ବାଦ୍ ଦେଇଛନ୍ତି । ସେ ବାବଦରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କୌଣସି ବିବୃତ୍ତି ପ୍ରଦାନ କରିଲେ ନାହିଁ । ଏସଆଇଆର ପ୍ରକିୟାରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ବହୁ ପୂର୍ବରୁ ଅଭିଯୋଗ ହୋଇଥିଲା । କିନ୍ତୁ ପୂର୍ବରୁ ଧାନନଗର ଏଇଆରଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ନିଲମ୍ବିତ କରିଛନ୍ତି । ଧାନନଗର ଏଇଆରଓ ଉକ୍ତ ଅଞ୍ଚଳରେ ଏସଆଇଆର ପ୍ରକିୟାରେ ଯେଉଁ ସବୁ ହେରଫେର କରିଛନ୍ତି । ସେନେଇ କିଛି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଉକ୍ତ ତଥ୍ୟକୁ ନେଇ ଚୂଡାନ୍ତ ସଂଶୋଧନ ଭୋଟର ତାଲିକା ପ୍ରକାଶ ପାଇଛି । ଏହା କେଉଁ ପ୍ରକାର ସ୍ୱଚ୍ଛତା ପୂର୍ଣ୍ଣ କାର୍ଯ୍ୟ ବୋଲି ପ୍ରଶ୍ନ କରିଛନ୍ତି । ପ୍ରକ୍ରିୟା ଆରମ୍ଭରେ ଯିଏ ବିଜେପି ଦଳର ଭୋଟର୍ ନୁହେଁ, ତାହାକୁ ଆମେ ବାଦ୍ ଦେବା ବୋଲି ଟିଟଲାଗଡ ବିଧାୟକ ମନ୍ତବ୍ୟ ଦେଇ କହିଥିଲେ । କହିବା ଅନୁଯାୟୀ ଯୋଗ୍ୟ ଭୋଟରଙ୍କୁ ଯୋଜନାବଦ୍ଧ ଭାବେ ତାଲିକାରୁ ବାଦ୍ ଦିଆଯାଇଛି । କିନ୍ତୁ ତାହା ପରେ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପଦକ୍ଷେପ ଗ୍ରହଣ ନକରି ଚୁପ ରହିଛନ୍ତି । ବିଜେଡି କିମ୍ୱା ଅନ୍ୟ ସମର୍ଥିତ ଦଳୀୟ ଭୋଟର ମାନଙ୍କୁ ଭୋଟର୍ ତାଲିକାରୁ ବାଦ୍ ଦେବାକୁ ବିଜେପି ପକ୍ଷରୁ ବିଏଲଓ ମାନଙ୍କୁ ଚାପ ପ୍ରୟୋଗ କରାଯାଇଥିଲା । ଏନେଇ ସେମାନେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ ମଧ୍ୟ କରିଛନ୍ତି । ବାଂଲାଦେଶୀ ବୋଲି ମିଥ୍ୟା ପରିଚୟ ଦେଇ ଅନେକ ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହେରଫେରକୁ ରୋକିବା ପାଇଁ ବିଜେଡି ପକ୍ଷରୁ ଅନେକ ପ୍ରଚେଷ୍ଠା କରାଯାଇଛି । ନିର୍ବାଚନରେ ମତଦାନ କରିବା ଭୋଟରଙ୍କ ମୌଳିକ ଅଧିକାର ହୋଇଥିବା ବେଳେ ତାହାକୁ କ୍ଷୁର୍ଣ୍ଣ କରିବାକୁ ଚକ୍ରାନ୍ତ ହୋଇଛି । ଅନେକ ବର୍ଷ ଧରି ଓଡ଼ିଶାରେ ପିଢ଼ି ପିଢ଼ି ଧରି ବସବାସ କରୁଥିବା ଜନସାଧାରଣ ମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି । ଯାହାକି ଅତି ନିନ୍ଦନୀୟ । ଏହାକୁ ସୁଧାର ପାଇଁ ଯୋଗ୍ୟ ଭୋଟରଙ୍କୁ ତାଲିକାରୁ ଯୋଡିବାକୁ ଦାବି ଉପସ୍ଥାପନ କରିଛନ୍ତି ।