ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍ ପକ୍ଷରୁ ବାୟୁ ପ୍ରଦୂଷଣ ସଚେତନତା ସପ୍ତାହ ଓ ବିଶ୍ୱ ଓଜୋନ୍ ଦିବସ ପାଳିତ
କ୍ବିଜ୍ ପ୍ରତିଯୋଗିତାର କୃତୀ ବିଜେତାଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଗଲା
ସମ୍ବଲପୁର, ୨୨/୦୯: ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ଗତ ସେପ୍ଟେମ୍ବର ୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ବାୟୁ ପ୍ରଦୂଷଣ ସଚେତନତା ସପ୍ତାହ ଏବଂ ବିଶ୍ୱ ଓଜୋନ୍ ଦିବସ ୨୦୨୬ ସଫଳତାର ସହ ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ସମାଜରେ ଜାଗରଣ ସୃଷ୍ଟି କରିବା ଲକ୍ଷ୍ୟରେ କମ୍ପାନୀ ପକ୍ଷରୁ ଏକାଧିକ ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।
ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ର ଆଞ୍ଚଳିକ କାର୍ଯ୍ୟାଳୟ ମିଳିତ ସହଯୋଗରେ ଏକ ବ୍ୟାପକ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। ଏହା ସହିତ କର୍ମଚାରୀ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପରିବେଶ ସମ୍ବନ୍ଧୀୟ କ୍ବିଜ୍ ପ୍ରତିଯୋଗିତା ଏବଂ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ବୃକ୍ଷରୋପଣ ପାଇଁ ଚାରାରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା।
ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୩ତମ ପ୍ରତିଷ୍ଠା ଦିବସରେ ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍ ଅଂଶଗ୍ରହଣ କରିଥିଲା। ଏହି ଅବସରରେ କମ୍ପାନୀର ପରିବେଶ ପରିଚାଳନା, ପ୍ରଦୂଷଣ ନିୟନ୍ତ୍ରଣ, ଶକ୍ତି ସଂରକ୍ଷଣ ଓ ସମ୍ବଳର ସଠିକ୍ ବିନିଯୋଗ ସମ୍ପର୍କିତ ବିଭିନ୍ନ ପଦକ୍ଷେପକୁ ପ୍ରଦର୍ଶିତ କରାଯାଇଥିଲା। ଏହି ପ୍ରଦର୍ଶନୀକୁ ଓଡ଼ିଶାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ବରିଷ୍ଠ ଅଧିକାରୀ ଓ ଓଏସପିସିବି ପ୍ରତିନିଧିମାନେ ବୁଲି ଦେଖିଥିଲେ।
ସେପ୍ଟେମ୍ବର ୨୧ ତାରିଖରେ ଉଦ୍ଯାପନୀ ସମାରୋହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଠେଲକୋଲୋଇ ହାଇସ୍କୁଲ ଏବଂ ଖିଣ୍ଡାସ୍ଥିତ ବି.ଭି.ଏସ୍.ଏସ୍. ହାଇସ୍କୁଲର କ୍ବିଜ୍ ପ୍ରତିଯୋଗିତାର କୃତୀ ବିଜେତାମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ସମାରୋହରେ କମ୍ପାନୀର ସମ୍ପୂର୍ଣ୍ଣ ସମୟ ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ଉମେଶ ରାୟ, ସିଓଓ ଶ୍ରୀ ପ୍ରକାଶ ସାପ୍ପା, ଭାଇସ୍ ପ୍ରେସିଡେଣ୍ଟ୍ ଓ ଜୋନାଲ୍ ହେଡ୍ ଶ୍ରୀ ମନୋଜ ପଟ୍ଟୱାରୀ, ଭାଇସ୍ ପ୍ରେସିଡେଣ୍ଟ୍ ଓ ଜୋନାଲ୍ ହେଡ୍ ଶ୍ରୀ ବିକାଶ ଜୈନ୍, ବିଜନେସ୍ ଷ୍ଟ୍ରାଟେଜି ଏବଂ ପ୍ରୋଜେକ୍ଟ ମାର୍କେଟିଂ ଆଣ୍ଡ ସେଲ୍ସର ବିଭାଗୀୟ ମୁଖ୍ୟ ଶ୍ରୀ ହିଦେନାରୀ ସୁଜୁକିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରୀ ଉମେଶ ରାୟ କହିଛନ୍ତି, “ପରିବେଶ ସୁରକ୍ଷା ଓ ଦାୟିତ୍ୱବୋଧ ଆମ ବିକାଶ ଯାତ୍ରାର ଅଭିନ୍ନ ଅଙ୍ଗ। ଏଭଳି ସଚେତନତା କାର୍ଯ୍ୟକ୍ରମ ଜରିଆରେ ଆମେ ସମାଜରେ ପରିବେଶାନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ସହ ଏକ ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ ଦିଗରେ ମିଳିତ ପ୍ରଚେଷ୍ଟାକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛୁ।”