ଉତ୍କଳ ବାଳାଶ୍ରମରେ ନାରାୟଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କମ୍ପ୍ୟୁଟର ଲାବୋରେଟୋରୀ ଉଦ୍‌ଘାଟିତ

ଡିଜିଟାଲ ସାକ୍ଷରତା ଓ ଆଧୁନିକ ଶିକ୍ଷାର ସୁଯୋଗ ଦେବା ମୁଖ୍ୟ ଉଦ୍ଦେଶ୍ୟ

କଟକ, ୨୨/୦୯: ନାରାୟଣ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଅବସରପ୍ରାପ୍ତ ଡିଏଫ୍‌ଓ ସ୍ୱର୍ଗତ ନାରାୟଣ ସାମଲଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ନୂଆପଡ଼ାସ୍ଥିତ ଉତ୍କଳ ବାଳାଶ୍ରମଠାରେ  ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଏବଂ କମ୍ପ୍ୟୁଟର ଲାବୋରେଟୋରୀ ଉଦଘାଟିତ ହୋଇଥିଲା । ବର୍ତ୍ତମାନର ଡିଜିଟାଲ ଯୁଗରେ ଶିଶୁମାନଙ୍କୁ କମ୍ପ୍ୟୁଟର ଶିକ୍ଷା, ଡିଜିଟାଲ ସାକ୍ଷରତା ଓ ଆଧୁନିକ ଶିକ୍ଷାର ସୁଯୋଗ ପ୍ରଦାନ କରିବା ଏହି ଉଦ୍ୟମର ମୁଖ୍ୟ ଉଦ୍ଦେଶ୍ୟ । ଏହାଦ୍ୱାରା ବାଳାଶ୍ରମର ଶିଶୁମାନେ ନୂତନ ପ୍ରଯୁକ୍ତି ସହ ପରିଚିତ ହୋଇ ନିଜ ଭବିଷ୍ୟତ ଗଢ଼ିବାରେ ସଫଳ ହୋଇପାରିବେ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ଏଡିଏମ୍  ଡ. ଶୁଭଶ୍ରୀ ପ୍ରିୟଦର୍ଶିନୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କମ୍ପ୍ୟୁଟର ଲାବୋରେଟୋରୀକୁ ଉଦ୍‌ଘାଟନ କରିଥିଲେ । ସେ ଆଶ୍ରମର ଶିଶୁମାନଙ୍କ ସହ କମ୍ପ୍ୟୁଟର ବିଷୟରେ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ସିଡିଏସ୍ଥିତ ଅର୍ବାନ କମ୍ୟୁନିଟି ହେଲ୍‌ଥ ସେଣ୍ଟରର ସୁପରିଟେଣ୍ଡେଣ୍ଟ ଡାକ୍ତର କାନ୍ତି ନାୟକ ଯୋଗଦେଇ ପିଲାମାନଙ୍କ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ମାନସିକ ସ୍ତରରେ ସୁଦୃଢ଼ ହେବା ନେଇ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ଉତ୍କଳ ବାଲାଶ୍ରମର ସୁପରିଟେଣ୍ଡେଣ୍ଟ ପ୍ରଜ୍ଞାସେନୀ ପ୍ରଧାନ ଉପସ୍ଥିତ ଥିଲେ ।  ନାରାୟଣ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ସଦାଶିବ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।  ବାଳାଶ୍ରମର ପିଲାମାନଙ୍କୁ ପାଠ୍ୟପୁସ୍ତକ ଓ ଅନ୍ୟାନ୍ୟ ଅଧ୍ୟୟନ ସାମଗ୍ରୀ ବଣ୍ଟନ କରାଯାଇଥିଲା । କମ୍ପ୍ୟୁଟର ଲାବୋରେଟୋରୀର ରକ୍ଷଣାବେକ୍ଷଣ ଓ ପରିଚାଳନା ଖର୍ଚ୍ଚ ଟ୍ରଷ୍ଟ ବହନ କରିବ ବୋଲି ଟ୍ରଷ୍ଟିମାନେ ସୂଚନା ଦେଇଥିଲେ ।