ପାତ୍ରପୁର,୨୨/୦୯ (ସୁରେଶ କୁମାର ପଟ୍ଟନାୟକ)ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷାକୁ ନେଇ ପାତ୍ରପୁର ବ୍ଲକ ନୂଆଗଡ଼ସ୍ଥିତ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ ପକ୍ଷରୁ ବାହୁଦା ନଦୀକୂଳିଆ ଗ୍ରାମଗୁଡ଼ିକୁ ସତର୍କ କରାଯାଇଛି। ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇପାରେ। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୦୬ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୯୭.୯୮ ମିଟର ରହିଛି। ଜଳସ୍ତର ୧୦୪ ମିଟରରେ ପହଞ୍ଚିଲେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ବଳକା ଜଳ ତଳକୁ ଛଡ଼ାଯିବ।
ଆସନ୍ତା ୩୬ ଘଣ୍ଟାରେ ଅଧିକ ବର୍ଷାର ପୂର୍ବାନୁମାନ ଥିବାରୁ ବାହୁଦା ନଦୀକୂଳିଆ ଲୋକଙ୍କୁ ସତର୍କ ରହିବାକୁ ବାଘଲଟି ଉପଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ସଚେତନ କରାଯାଇଛି। ନଦୀଗର୍ଭକୁ ନଯିବା ଓ ଗୃହପାଳିତ ପଶୁଙ୍କୁ ନଛାଡ଼ିବାକୁ କୁହାଯାଇଛି। ଏ ସମ୍ପର୍କରେ ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି। ନିର୍ଦ୍ଦେଶ ଅବମାନନା କରି କୌଣସି ଧନଜୀବନ କ୍ଷତି ଘଟିଲେ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ବାଘଲଟି ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।