୮ ଘଣ୍ଟାର ଅପରେସନ ପରେ ପୁଲିସ ଗୁଳିରେ ହତ୍ୟାକାରୀ ନିହତ
ସ୍ତ୍ରୀ ଓ ୧୦ ବର୍ଷର ପୁଅ ସହ ୨ ପୂଜାରୀଙ୍କୁ ଗୁଳି କରି ହତ୍ୟା କରିଥିଲା ଅଭିଯୁକ୍ତ
ଆଜମଗଡ, ୨୩/୦୯: ଉତ୍ତରପ୍ରଦେଶର ଆଜମଗଡ଼ ଜିଲ୍ଲାରେ ଏକ ପୂଜା କାର୍ଯ୍ୟକ୍ରମକୁ ନେଇ ଘଟିଛି ଭୟଙ୍କର ହତ୍ୟାକାଣ୍ଡ। ପତ୍ନୀ ଓ ଦୁଇ ପୂଜାରୀଙ୍କୁ ଗୁଳି କରିବା ପରେ ନିଜର ତିନି ପିଲାଙ୍କୁ ଘର ଭିତରେ ବନ୍ଧକ ରଖିଥିବା ଅଭିଯୁକ୍ତ ଅରବିନ୍ଦ ସିଂହ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ୮ ଘଣ୍ଟାର ଏହି ଅପରେସନରେ ତାଙ୍କର ଜଣେ ପୁଅ ମଧ୍ୟ ଗୁରୁତର ଆହତ ହୋଇ ପରେ ପ୍ରାଣ ହରାଇଛି। ଦୁଇ ଝିଅଙ୍କୁ ପୋଲିସ ଉଦ୍ଧାର କରିଛି।
ଘଟଣାଟି ମଙ୍ଗଳବାର ସନ୍ଧ୍ୟାରେ ଆଜମଗଡ଼ର ଅହରୌଲା ଥାନା ଅଞ୍ଚଳର ଶମ୍ଭୁପୁର ଗାଁରେ ଘଟିଥିଲା। ଅରବିନ୍ଦ ସିଂହ ଘରକୁ ଫେରିବା ବେଳେ ସେଠାରେ ତାଙ୍କ ପତ୍ନୀ ବବିତା ସିଂହଙ୍କ ସହ କିଛି ପୂଜାରୀ ପୂଜା କରୁଥିଲେ। ଏହି ପୂଜାକୁ ନେଇ ଅରବିନ୍ଦ ଆପତ୍ତି କରିଥିବା ଏବଂ ପରେ ତାଙ୍କ ସହ ପତ୍ନୀ ଓ ପୂଜାରୀମାନଙ୍କର ବଚସା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ପୋଲିସ ଅନୁସାରେ, ଏହି ବିବାଦ ପରେ ଅରବିନ୍ଦ ଗୁଳି ଚଳାଇଥିଲା। ଏଥିରେ ତାଙ୍କ ପତ୍ନୀ ବବିତା ଏବଂ ଦୁଇ ପୂଜାରୀ ମହେନ୍ଦ୍ର ପାଠକ ଓ ଅଖିଳେଶ ମିଶ୍ରଙ୍କ ମୃତ୍ୟୁ ହୋଇଥିଲା। ତେବେ ଘଟଣା ସମୟରେ ଥିବା ଅନ୍ୟ କିଛି ପୂଜାରୀ ସେଠାରୁ ବାହାରି ଯାଇଥିଲେ।
ହତ୍ୟାକାଣ୍ଡ ପରେ ଅରବିନ୍ଦ ତାଙ୍କର ତିନି ପିଲାଙ୍କୁ ନେଇ ଘର ଭିତରେ ନିଜକୁ ବନ୍ଦ କରିଦେଇଥିଲେ। ପୋଲିସ ଘରକୁ ଚାରିପଟୁ ଘେରି ଦେଇଥିଲା। ପିଲାମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବା ସହ ଅଭିଯୁକ୍ତକୁ ଆତ୍ମସମର୍ପଣ କରାଇବା ପାଇଁ ପୋଲିସ ଦୀର୍ଘ ସମୟ ଧରି ଆଲୋଚନା ଓ ବୁଝାସୁଝା କରିଥିଲା। ପରିବାର ସଦସ୍ୟମାନଙ୍କର ମଧ୍ୟ ସହାୟତା ନିଆଯାଇଥିଲା।
କିନ୍ତୁ ଅଭିଯୁକ୍ତ ବାହାରକୁ ଆସିବାକୁ ମନା କରିଥିଲା। ପୋଲିସ ଓ ପରିବାର ଲୋକଙ୍କୁ ଧମକ ମଧ୍ୟ ଦେଇଥିଲା। ଏହା ପରେ ଘର ବାହାରେ ଦୀର୍ଘ ସମୟ ଧରି ପୋଲିସର ଅପରେସନ ଚାଲିଥିଲା। ପରିସ୍ଥିତି ଆହୁରି ଗମ୍ଭୀର ହୋଇଥିଲା ଯେତେବେଳେ ଘର ଭିତରୁ ଗୁଳି ଚାଲିବାର ଶବ୍ଦ ଶୁଣାଯାଇଥିଲା। ପୋଲିସ ଘର ଭିତରକୁ ପ୍ରବେଶ କରିବା ପରେ ଜଣାପଡ଼ିଥିଲା ଯେ ଅରବିନ୍ଦ ନିଜ ପୁଅକୁ ଗୁଳି କରି ଆହତ କରିଛି। ଗୁରୁତର ଆହତ ଶିଶୁକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିଲା।
ପିଲାମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ପୋଲିସ ଘର ଭିତରକୁ ପ୍ରବେଶ କରି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା। ରିପୋର୍ଟ ଅନୁସାରେ, ଅପରେସନ ସମୟରେ ଷ୍ଟନ୍ ଗ୍ରେନେଡ୍ ଓ ଟିୟର୍ ଗ୍ୟାସ୍ ବ୍ୟବହାର କରାଯାଇଥିଲା। ପୋଲିସ ଆଗକୁ ବଢ଼ିବା ସମୟରେ ଅରବିନ୍ଦ ପୋଲିସ ଉପରକୁ ମଧ୍ୟ ଗୁଳି ଚଳାଇଥିଲା।
ପୋଲିସର କହିବା ଅନୁସାରେ, ଏହା ପରେ ଗୁଳିବିନିମୟ ହୋଇଥିଲା। ଅରବିନ୍ଦ ଗୁରୁତର ଆହତ ହୋଇଥିଲା। ତାକୁ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିଲା।
ତେବେ ଅପରେସନ ସମୟରେ ଅରବିନ୍ଦଙ୍କ ଦୁଇ ଝିଅଙ୍କୁ ପୋଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ସେମାନଙ୍କୁ ଡାକ୍ତରୀ ଯାଞ୍ଚ ଓ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ଘଟଣାରେ ସେମାନେ ଭୟଭୀତ ଓ ମାନସିକ ଭାବେ ଅସ୍ଥିର ଅଛନ୍ତି।
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଅରବିନ୍ଦଙ୍କ ପରିବାର ତାଙ୍କ ଆଚରଣକୁ ନେଇ ଚିନ୍ତିତ ଥିଲେ। ତେଣୁ ସେମାନେ କିଛି ପୂଜା ରଖିଥିଲେ। ହେଲେ ପ୍ରକୃତ ଘଟଣା ଜାଣିବା ପାଇଁ ତଦନ୍ତ ଜାରି ରହିଛି। ଏହି ଘଟଣାରେ ପତ୍ନୀ ଓ ଦୁଇ ପୂଜାରୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।