ମାଲକାନଗିରି, ୨୩/୦୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଅତ୍ୟନ୍ତ ଶକ୍ତିଶାଳୀ ଗଭୀର ଅବପାତର ପ୍ରଭାବରେ ସାରା ଦକ୍ଷିଣ ଓଡ଼ିଶା ସମେତ ମାଲକାନଗିରି ଜିଲ୍ଲାରେ ବର୍ଷାର ପରିମାଣ କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ, ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଗତ ୨୨ ତାରିଖ ସକାଳ ୮:୦୦ ଟାରୁ ୨୩ ତାରିଖ ସକାଳ ୮:୦୦ ଟା ମଧ୍ୟରେ ଜିଲ୍ଲାର ସମସ୍ତ ଅଞ୍ଚଳରେ ବ୍ୟାପକ ବର୍ଷା ରେକର୍ଡ କରାଯାଇଛି। ଯେଉଁଥିରେ ଖଇରପୁଟ ବ୍ଲକରେ ସର୍ବାଧିକ ୮୧.୦ ମିମି, ମାଥିଲିରେ ୬୦.୦ ମିମି, କାଲିମେଳାରେ ୫୭.୦ ମିମି, କୋରୁକୋଣ୍ଡାରେ ୪୯.୦ ମିମି, ଚିତ୍ରକୋଣ୍ଡାରେ ୪୨.୨ ମିମି, ମାଲକାନଗିରିରେ ୩୯.୮ ମିମି ଏବଂ ପୋଡ଼ିଆ ବ୍ଲକରେ ୧୭.୩ ମିମି ସହିତ ସମଗ୍ର ଜିଲ୍ଲାରେ ମୋଟ ୩୪୬.୩ ମିମି ଏବଂ ହାରାହାରି ୪୯.୪୭ ମିମି ବର୍ଷା ରେକର୍ଡ ହୋଇଛି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ମୁତାବକ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ବାୟବ୍ୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଏହି ଗଭୀର ଅବପାତଟି ଗତ କିଛି ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ସକାଳ ୦୫:୩୦ ଟା ସୁଦ୍ଧା କଳିଙ୍ଗପାଟନମ୍ର ୭୦ କିମି ପୂର୍ବ-ଦକ୍ଷିଣ ପୂର୍ବ, ଗୋପାଳପୁରର ୧୫୦ କିମି ଦକ୍ଷିଣ ଏବଂ ବିଶାଖାପଟ୍ଟନମର ୧୫୦ କିମି ପୂର୍ବ-ଉତ୍ତରପୂର୍ବରେ (ଅକ୍ଷାଂଶ ୧୮.୦° ଏନ୍ ଏବଂ ଦ୍ରାଘିମା ୮୪.୭°ଇ ନିକଟରେ) କେନ୍ଦ୍ରଭୂତ ହୋଇସାରିଥିବା କାରଣରୁ ଏହା ଆହୁରି ଆଗକୁ ବଢ଼ି ଆଜି ରାତି ସୁଦ୍ଧା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା କୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବାରୁ ସମଗ୍ର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଓ ପ୍ରସ୍ତୁତି ଜାରି ରହିଛି।