କାଶ୍ମୀର ଫାଇଲ୍‌ ଫିଲ୍ମକୁ ନେଇ ବିବାଦୀୟ ମନ୍ତବ୍ୟ ପରେ ମୁହଁ ଖୋଲିଲେ ନଦାଭ ଲାପିଡ୍

ନୂଆଦିଲ୍ଲୀ: ଇସ୍ରାଏଲ୍ ଫିଲ୍ମ ନିର୍ମାତା ନଦାଭ ଲାପିଡ୍ ଭାରତୀୟ ସିନେମା ‘ଦି କାଶ୍ମୀର ଫାଇଲ’କୁ ନିନ୍ଦା କରିବା ପରେ ବିବାଦ ଦେଖାଦେଇଛି। ଯାହାକୁ ନେଇ ଭାରତରେ ଥିବା ଇସ୍ରାଏଲ ରାଷ୍ଟ୍ରଦୂତ କ୍ଷମା ପ୍ରାର୍ଥନା କରିବା ସହିତ ଲାପିଡ୍‌ଙ୍କୁ କଡ଼ା ସମାଲୋଚନା ମଧ୍ୟ କରିଥିଲେ। ଫିଲ୍ମ ନିର୍ମାତା ବିବେକ୍ ଅଗ୍ନିହୋତ୍ରୀ ଅନୁପମ ଖେର୍ ମଧ୍ୟ ଲାପିଡଙ୍କୁ ସମାଲୋଚନା କରିଥିଲେ। ଘଟଣାକୁ ନେଇ ନାନା ତମ୍ବି ତୋଫାନ ହେବା ପରେ ଏବେ ଏ ନେଇ ମୁହଁ ଖୋଲିଛନ୍ତି ନଦାଭ ଲାପିଡ୍।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତାର ଦେଇ ଲାପିଡ୍  ନିଜ ମନ୍ତବ୍ୟକୁ ଯୁକ୍ତିଯୁକ୍ତ ଦର୍ଶାଇବା ସହିତ ଘଟଣାର ରାଜନୀତିକରଣକୁ ନିନ୍ଦା କରିଛନ୍ତି। ତାଙ୍କ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି ବୋଲି ଉପସ୍ଥାପକ ଲାପିଡଙ୍କୁ କହିବା ପରେ ସେ କହିଛନ୍ତି ଯେ ସେ କାହାର ସମ୍ପତ୍ତି ନୁହଁନ୍ତି। ରାଜନେତାମାନେ ସବୁବେଳେ ବିବାଦରୁ ଲାଭ ଉଠାଇଥାନ୍ତି।

ଲାପିଡ୍ ଆହୁରି କହିଛନ୍ତି ” ଉଦ୍ଦେଶ୍ୟମୂଳକ ପ୍ରଚାର କଣ କେହି ନିର୍ଦ୍ଧାରିତ କରିପାରିବେ ନାହିଁ। ମୁଁ ଏହି ତଥ୍ୟକୁ ଗ୍ରହଣ କରେ। ଏହା ଖୁବ୍ ସୁନ୍ଦର ଫିଲ୍ମ। କିନ୍ତୁ ଉଦ୍ଦେଶ୍ୟମୂଳକ ପ୍ରଚାର ଆଧାରରେ ଫିଲ୍ମକୁ ଅଲଗା କରିବାର କୌଣସି ମାପକାଠି ନାହିଁ। ଇତିହାସରେ ଯେଉଁ ଘଟଣା ଘଟିଛି ତାହା ଫିଲ୍ମକୁ ଉଦ୍ଦେଶ୍ୟମୂଳକ ପ୍ରଚାର ଓ ଏଥିରେ ହେର୍‌ଫେର୍‌ ଆଦିକୁ ଜନ୍ମଦେବ।”

ଏଥିସହିତ ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ଯଦି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେଇଛି ସେଥିପାଇଁ ମୁଁ କ୍ଷମା ମାଗୁଛି ବୋଲି ଲାପିଡ୍ କହିଛନ୍ତି। ତେବେ ତାଙ୍କ ମନ୍ତବ୍ୟକୁ ଯୁକ୍ତିଯୁକ୍ତ ଦର୍ଶାଇବାକୁ ଯାଇ ସେ କହିଛନ୍ତି ଯେ ଜଣେ କଳାକାର ହିସାବରେ ଫିଲ୍ମକୁ ନେଇ ସେ ତାଙ୍କ ମନ୍ତବ୍ୟ ରଖିଥିଲେ। କାହାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନଥିଲା।