ରାୟଗଡା, ୦୨/୧୦(ଦକ୍ଷ ବାଥ୍ରା): ଅମ୍ବାଦଳା ଥାନା ଅନ୍ତର୍ଗତ ଅନଯୋଡ଼ି ଗ୍ରାମର ଯୁବକ ଶୁଭ ଅନ୍ଦକିଆ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି। ସେ ସୁନାଖୁଟି ଗ୍ରାମରେ ରହି ଦିନମଜୁରିଆ ଭାବେ କାମ କରୁଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଶୁକ୍ରବାର ଶୁଭ ଗାଈ ଚରାଇବାକୁ ଯାଇଥିବା ବେଳେ ଏକ ଖୋଲା ପଡ଼ିଆରେ ତଳକୁ ଝୁଲି ରହିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି କଳାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଡାକ୍ତରଙ୍କ ସୂଚନା ଅନୁସାରେ, ଶୁଭଙ୍କ ପିଠିର ପ୍ରାୟ ୫୦ ପ୍ରତିଶତ ଅଂଶ ଏବଂ ଗୋଟିଏ ହାତର ପାପୁଲି ଗୁରୁତର ଭାବେ ପୋଡ଼ିଯାଇଛି।ଚୋରି ହୋଇଥିଲା ପୁରୁଣା ତାର, ଲାଇନ୍ ତାରରେ ପଡ଼ିଲା ଅବଶିଷ୍ଟ ଅଂଶଘଟଣାସ୍ଥଳ ଯାଞ୍ଚ ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏକ ପୁରୁଣା ଅଚଳ ବିଦ୍ୟୁତ୍ ଲାଇନ୍ର ତାରକୁ କେହି କାଟି ଚୋରି କରି ନେଇଥିଲେ। ଫଳରେ ତାରର ଅବଶିଷ୍ଟ ଅଂଶଟି ନିକଟରେ ଯାଇଥିବା ମୁଖ୍ୟ ୧୧ କେଭି ଲାଇନ୍ ତାର ଉପରେ ପଡ଼ିଯାଇଥିଲା। ଏହା ତଳକୁ ଝୁଲି ରହିବା ସହ ସେଥିରେ ବିଦ୍ୟୁତ୍ ପ୍ରବାହିତ ହେଉଥିଲା।ଏହା ଜାଣି ନପାରି ଶୁଭ ଉକ୍ତ ତାରର ସଂସ୍ପର୍ଶରେ ଆସିବାରୁ ଏହି ଅଘଟଣ ଘଟିଥିବା ବିଦ୍ୟୁତ୍ ବିଭାଗ ପକ୍ଷରୁ କୁହାଯାଇଛି।ଘଟଣା ପରେ ବିଦ୍ୟୁତ୍ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଝୁଲି ରହିଥିବା ତାରକୁ କାଟି ଲାଇନ୍ ସଫା କରିଛନ୍ତି। ଏଥିସହ ଘଟଣାର କାରଣ ଓ ତାର ଚୋରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି।