ନବୀନ ସରକାର ଅମଳରେ ବକ୍ସାଇଟ ଆବଣ୍ଟନକୁ ନେଇ ଧର୍ମେନ୍ଦ୍ରଙ୍କ ତଥ୍ୟ ଭ୍ରମାତ୍ମକ ଓ ଅଭିସନ୍ଧିମୂଳକ: ବିଜେଡି

୨୦୦୪ର ଚୁକ୍ତି ୨୦୧୫ରେ ନବୀନ ସରକାର ଅମଳରେ ହିଁ ବାତିଲ ହୋଇଥିଲା

୨୦୨୩ରେ ଘରୋଇ କମ୍ପାନୀର ପୁରୁଣା ପ୍ରାଇସିଂ ଫର୍ମୁଲା ଲାଗୁ କରିବା ଦାବିକୁ ଓଏମସି ଗ୍ରହଣ କରିନଥିଲା

ଭୁବନେଶ୍ୱର, ୦୨/୧୦: ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସାରା ଦେଶରେ ଅପଦସ୍ଥ ହେବା ପରେ ନିକଟରେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିବା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ନବୀନ ସରକାରଙ୍କ ଅମଳରେ ବକ୍ସାଇଟ୍ ଆବଣ୍ଟନକୁ ନେଇ ସୋସିଆଲ ମିଡିଆରେ ଯେଉଁ ମତ ରଖିଛନ୍ତି, ତାହା ଭ୍ରମାତ୍ମକ ଓ ଅଭିସନ୍ଧିମୂଳକ । ସମ୍ପ୍ରତି ସଂଶୋଧିତ ଏମଏମଡିଆର ଆଇନକୁ ନେଇ ଡବଲ ଇଞ୍ଜିନ ସରକାର ସାରା ରାଜ୍ୟରେ ତୀବ୍ର ବିରୋଧର ସମ୍ମୁଖୀନ ହେବା ପରେ ଧର୍ମେନ୍ଦ୍ର ପ୍ରଧାନ ସଚେତନ ଓଡ଼ିଶାବାସୀଙ୍କୁ ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇ ଭ୍ରମିତ କରିବା ପାଇଁ ବିକଳ ଉଦ୍ୟମ କରିଛନ୍ତି ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ବରିଷ୍ଠ ଗଣମାଧ୍ୟମ ସଂଯୋଜକ ଶ୍ରୀ ଗୌତମବୁଦ୍ଧ ଦାସ ଏବଂ ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ୨୦୦୪ରେ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଓଡ଼ିଶା ମାଇନିଂ କର୍ପୋରେସନ ବା ଓଏମସି ଓ ଏକ ଘରୋଇ କମ୍ପାନୀ ମଧ୍ୟରେ ଏକ ଚୁକ୍ତିରେ ୧୫୦ ମିଲିୟନ ଟନ୍ ବକ୍ସାଇଟ୍ ଯୋଗାଣର ବ୍ୟବସ୍ଥା ରହିଥିଲା ।

ଶ୍ରୀ ଗୌତମବୁଦ୍ଧ ଦାସ କହିଥିଲେ ଯେ, ୨୦୧୫ରେ ଯେତେବେଳେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର କ୍ଷମତାରେ ଥିଲା, ଓଏମସି ୨୦୦୪ ଓ ୨୦୦୯ର ଜଏଣ୍ଟ ଭେନ୍ଚର ଚୁକ୍ତିକୁ ବାତିଲ କରିଦେଇଥିଲା । ହାଇକୋର୍ଟଙ୍କ ରାୟରେ ମଧ୍ୟ ଉଲ୍ଲେଖ ଅଛି ଯେ, ଏମଏମଡିଆର ଆକ୍ଟରେ ପରିବର୍ତ୍ତନ ପରେ ୨୯/୩୦ ସେପ୍ଟେମ୍ୱର ୨୦୧୫ରେ ଓଏମସି ଏହି ଚୁକ୍ତିଗୁଡ଼ିକୁ ବାତିଲ କରିଥିଲା । ସମ୍ପୃକ୍ତ କମ୍ପାନୀ ସେତେବେଳେ ଏହି ବାତିଲକୁ ଚ୍ୟାଲେଞ୍ଜ କରିନଥିଲା । ତେଣୁ ତାହା ଫାଇନାଲିଟି ହାସଲ କରିଥିଲା ବୋଲି କୋର୍ଟ କହିଛନ୍ତି । ଏହାପରେ ବକ୍ସାଇଟ୍ ଯୋଗାଣର ନୂଆ ବ୍ୟବସ୍ଥା ଆସିଥିଲା । ୨୦୧୮ରେ ଲଙ୍ଗ ଟର୍ମ ଲିଙ୍କେଜ୍ ପଲିସି ଅନୁସାରେ ଓଏମସି ଓ ସମ୍ପୃକ୍ତ କମ୍ପାନୀ ମଧ୍ୟରେ ଏଲଟିଏଲ ବିକି୍ର ଚୁକ୍ତି ହୋଇଥିଲା । ୨୦୧୯ରେ ମିନେରାଲ କନ୍ସେସନ ରୁଲ୍ସର ୪୫ରେ ପରିବର୍ତ୍ତନ ପରେ ଓଏମ୍ସି ବକ୍ସାଇଟ୍ ପ୍ରାଇସିଂ ମେକାନିଜିମ୍ ବଦଳାଇଥିଲା ଏବଂ ହାରାହାରି ବିକି୍ର ମୂଲ୍ୟ ନିର୍ଦ୍ଧାରଣକୁ ନେଇ ସମ୍ପୃକ୍ତ କମ୍ପାନୀ ସହ ବିବାଦ ଆରମ୍ଭ ହୋଇଥିଲା ।

ଶ୍ରୀ ଦାସ ଆହୁରି କହିଥିଲେ ଯେ, ୨୦୨୩ରେ ମଧ୍ୟ ରାଜ୍ୟରେ ନବୀନ ପଟ୍ଟନାୟକ ସରକାର ଥିଲା । ଓଏମସି ପୁରୁଣା ପ୍ରାଇସିଂ ଫର୍ମୁଲାକୁ ପୁଣି ଲାଗୁ କରିବା ପାଇଁ ସମ୍ପୃକ୍ତ କମ୍ପାନୀର ଦାବିକୁ ଗ୍ରହଣ କରିନଥିଲା । ଏହାପରେ ସମ୍ପୃକ୍ତ କମ୍ପାନୀ ହାଇକୋର୍ଟରେ ଡବ୍ଲୁ.ପି.ସି ନଂ. ୯୬୧୭/୨୦୨୩ ଦାଖଲ କରି ପୁରୁଣା ବ୍ୟବସ୍ଥାର ଲାଭ ଚାହିଁଥିଲା । ୨୯ ମାର୍ଚ୍ଚ ୨୦୨୩ରୁ କମ୍ପାନୀକୁ ଇଣ୍ଟେରିମ୍ ପ୍ରୋଟେକସନ ମିଳିଥିଲା ଏବଂ ମାମଲାର ଚୂଡ଼ାନ୍ତ ଫଇସଲା ପର୍ଯ୍ୟନ୍ତ ଅନ୍ତରୀଣ ଦରରେ ବକ୍ସାଇଟ୍ ଉଠାଇବାର ସୁଯୋଗ ମିଳିଥିଲା । ୧ ଅକ୍ଟୋବର ୨୦୨୬ରେ ଓଡ଼ିଶା ହାଇକୋର୍ଟ ସମ୍ପୃକ୍ତ କମ୍ପାନୀର ଆବେଦନକୁ ଖାରଜ କରିଛନ୍ତି । ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କ ଖଣ୍ଡପୀଠ କହିଛନ୍ତି, ପୂର୍ବରୁ ବାତିଲ ହୋଇସାରିଥିବା ଚୁକ୍ତିକୁ ବହୁ ବର୍ଷ ପରେ ପୁଣି ସିଧା ବା ପରୋକ୍ଷ ଭାବେ କାର୍ଯ୍ୟକାରୀ କରିବାକୁ ସମ୍ପୃକ୍ତ କମ୍ପାନୀ ଦାବି କରିପାରିବ ନାହିଁ । ଓଏମ୍ସିର ହାରାହାରି ବିକି୍ର ମୂଲ୍ୟ ଆଧାରିତ କମ୍ପୁ୍ୟଟେସନକୁ ମଧ୍ୟ କୋର୍ଟ ଯୁକ୍ତିସଙ୍ଗତ ବୋଲି ମାନିଛନ୍ତି । ତେଣୁ ଏହି ବିବାଦର ସମୟସୀମାରେ ଦୁଇଟି ଭିନ୍ନ କଥାକୁ ଅଲଗା କରି ଦେଖିବା ଜରୁରୀ । ୨୦୦୪ରେ ସମ୍ପୃକ୍ତ କମ୍ପାନୀ ସହ ଚୁକ୍ତି ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ହୋଇଥିଲା, ଏହା ସତ । କିନ୍ତୁ ୨୦୧୫ରେ ସେହି ସରକାରଙ୍କ କାର୍ଯ୍ୟକାଳରେ ଓଏମ୍ସି ଏହି ଜଏଣ୍ଟ ଭେନ୍ଚର ଚୁକ୍ତିକୁ ବାତିଲ କରିଥିଲା । ୨୦୧୯ରେ ପ୍ରାଇସିଂ ଚେଞ୍ଜ ଏବଂ ୨୦୨୩ରେ ସମ୍ପୃକ୍ତ କମ୍ପାନୀ ପୁରୁଣା ପ୍ରାଇସିଂ ଫର୍ମୁଲା ପାଇଁ ଦାବିକୁ ଓଏମସି ନମାନିବା ମଧ୍ୟ ନବୀନ ସରକାର ସମୟର ଘଟଣା ।

ଡ଼ ଲେନିନ ମହାନ୍ତି କହିଥିଲେ ଯେ, ୨୦୨୬ରେ ହାଇକୋର୍ଟ ରାୟକୁ କେବଳ ବର୍ତ୍ତମାନର ମୋହନ ଚରଣ ମାଝୀ ସରକାର ସମ୍ପୃକ୍ତ କମ୍ପାନୀ ବିରୋଧରେ ନେଇଥିବା ନୂଆ ପଦକ୍ଷେପ ଭାବେ ଦେଖାଇବା ଅସମ୍ପୂର୍ଣ୍ଣ ହେବ । ଅଦାଲତରେ ବର୍ତ୍ତମାନର ରାଜ୍ୟ ସରକାର ପୁରୁଣା ଓଏମସି ନିଷ୍ପତ୍ତିକୁ ଡିଫେଣ୍ଡ କରିଥିଲେ ମଧ୍ୟ, ଯେଉଁ ୨୦୧୫ରେ ବାତିଲ, ୨୦୧୯ରେ ପ୍ରାଇସିଂ ଚେଞ୍ଜ ଓ ୨୦୨୩ର ବିବାଦରୁ ମାମଲାଟି ଆସିଥିଲା, ସେଗୁଡ଼ିକ ନବୀନ ପଟ୍ଟନାୟକଙ୍କ ସରକାର ସମୟର ଘଟଣା । ନବୀନ ବାବୁ କେନ୍ଦ୍ର ସରକାରକୁ ଚିଠି ଲେଖି କନର୍ଭସନ ଫ୍ୟାକ୍ଟରକୁ କମାଇ ଘରୋଇ କମ୍ପାନୀ ଚାହୁଁଥିବା ସର୍ବନିମ୍ନ ଦର ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ ବୋଲି ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଅଭିଯୋଗ କରିଛନ୍ତି, ତାହା ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା । ବୋଧହୁଏ ଏଭଳି ମିଛ କହିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭ୍ୟାସ ହୋଇଗଲାଣି । ପ୍ରକୃତ କଥା ହେଲା, ୨୦୨୦ ମସିହାରେ ଭାରତୀୟ ଆଲୁମିନିୟମ ଇଣ୍ଡଷ୍ଟି୍ର ଆସୋସିଏସନ୍ ଏଏସ୍ପି ଫର୍ମୁଲାରେ ଖଣି ମନ୍ତ୍ରଣାଳୟର କିଛି ବୈଷୟିକ ତ୍ରୁଟି ରହିଛି ବୋଲି ଏକ ସ୍ମାରକପତ୍ର ଦେଇଥିଲେ । ଏହି ଆଧାରରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାର୍ଥ ରକ୍ଷା ଲାଗି ଚିଠି ଲେଖି ତ୍ରୁଟି ସୁଧାରିବାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେବଳ ଓଡ଼ିଶା ନୁହେଁ, ତକ୍ରାଳୀନ ଗୁଜୁରାଟ ସରକାର ମଧ୍ୟ କେନ୍ଦ୍ର ଖଣି ମନ୍ତ୍ରଣାଳୟକୁ ସମାନ ଚିଠି ଲେଖିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏକ କମିଟି ଗଠନ କରିଥିଲେ ଏବଂ ଏଏସ୍ପି ଫର୍ମୁଲାରେ ଆବଶ୍ୟକୀୟ ପରିବର୍ତ୍ତନ କରିଥିଲେ ।