ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ ଫଳ ପ୍ରକାଶିତ
ଶ୍ରେଷ୍ଠ ଓ ଟପ୍ପର ହେଲେ ହାଇଟେକ ମେଡିକାଲ କଲେଜ ବିଦ୍ୟାର୍ଥୀ
ଭୁବନେଶ୍ୱର, ୦୨/୧୦: ଓଡ଼ିଶାରେ ପ୍ରଥମକରି ପ୍ରତିଷ୍ଠିତ ହୋଇଥିବା ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ ବ୍ୟାଚ ପରୀକ୍ଷାର ଫଳ ପ୍ରକାଶ ପାଇଥିବା ବେଳେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ଆଠ ଜଣ ବିଦ୍ୟାର୍ଥୀ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ପ୍ରଥମ ସଫଳ କୃତବିଦ୍ୟ ଚିକିତ୍ସାବିତ ଭାବେ ଓଡିଶାର ସୁନାମ ଅର୍ଜନ କରିଛନ୍ତି। ନିଶ୍ଚେତକ ବିଜ୍ଞାନୀ ଡ଼କ୍ଟର ରଂଜିତ କୁମାର ବରାଇ ବିଶ୍ୱବିଦ୍ୟାଳୟର ଟପର ହୋଇଥିବାବେଳେ ଡ଼କ୍ଟର ଶିକ୍ତା ମିଶ୍ର ଶ୍ରେଷ୍ଠ ତୃତୀୟ ଭାବେ ଗୌରବ ଅର୍ଜନ କରିଛନ୍ତି । ଏଥିପାଇଁ ବିଶ୍ଵବିଦ୍ୟାଳୟ ତରଫରୁ ଭୁୟସୀ ପ୍ରଶଂସା କରାଯାଇଛି। ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠାତା ଅଧକ୍ଷ ଡ଼କ୍ଟର ତିରୁପତି ପାଣିଗ୍ରାହୀ ଶ୍ରେଷ୍ଠ ସଫଳତା ଅର୍ଜନ କରିଥିବା ଆଠଜଣ ଚିକିତ୍ସାବିତଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟରେ ସମ୍ମାନିତ କରିଥିବାବେଳେ ନିଜ ପରିବାର, ଅଂଚଳ ଓ ଦେଶ ପାଇଁ ଚିକିତ୍ସା ସେବାର ହାତ ବଢ଼ାଇ ଦେବାକୁ ଆହ୍ୱାନ ଦେଇଛନ୍ତି। ସମ୍ଭର୍ଦ୍ଧିତ ସଭାରେ ମେଡିକାଲ ସୁପରିଟେଣ୍ଡେଣ୍ଟ ଡ଼କ୍ଟର ସୀତାରାମ ମହାପାତ୍ର , ଡ଼କ୍ଟର ବାସୁଦେବ ବେହରା ମୁଖ୍ୟ ପ୍ରଶାସନିକ ଅଧିକାରୀ ମଲ୍କିନ ବେହେରା ଓ ଅନ୍ୟ ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିବାବେଳେ ଏହି କୃତିତ୍ୱ ଆମ ମେଡିକାଲ କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କର ମାର୍ଗଦର୍ଶନ ଓ ଆଶୀର୍ବାଦ ବୋଲି କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ମାନେ କହିଛନ୍ତି ।