ରବୀନ୍ଦ୍ର ମଣ୍ଡପରେ ‘ଲୋକ ରଞ୍ଜନୀ- ଆମ କଳା ଆମ ଅସ୍ମିତା’ କାର୍ଯ୍ୟକ୍ରମ ଆୟୋଜିତ

୩୦ଟି ଲୁପ୍ତପ୍ରାୟ ଲୋକକଳା ପ୍ରଦର୍ଶିତ

ଲୋକକଳା ଆମ ଗର୍ବ ଓ ଗୌରବ, ଏହାର ସଂରକ୍ଷଣରେ କଳାକାରଙ୍କ ଭୂମିକା ପ୍ରଶଂସନୀୟ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, ୦୨/୧୦: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆଜି ଲୋକକଳା ମହୋତ୍ସବ ‘ଲୋକ ରଞ୍ଜନୀ- ଆମ କଳା ଆମ ଅସ୍ମିତା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୩୦ ଗୋଟି ଲୁପ୍ତପ୍ରାୟ ଲୋକକଳା ଯଥା – ଘୋଡ଼ାନାଚ, ରଣପା ନୃତ୍ୟ, ଢୁମ୍ପା ସଙ୍ଗୀତ, ବାଥୁଡ଼ି ଛଉନୃତ୍ୟ, ପତରସଉରା ଦଣ୍ଡ, କୃଷ୍ଣଲୀଳା, ଗୀତକୁଡ଼ିଆ, ଯୋଡ଼ିନାଗରା, ସଂଚାର, ସଖୀନାଟ, କେନ୍ଦରାଗୀତ, ବଡ଼ଘୁମୁରା, ମାହାରୀ ନୃତ୍ୟ, କରମସାନୀ, ଓଷାକୋଠି, ଭାରତଲୀଳା, ଦେଶିଆ ନାଟ, ସିଂହବାଜା, ମଣିଷ ବାଘ, ଖଞ୍ଜଣି, ଘୁଡୁକୀ, ରାମଲୀଳା, ଢ଼ଣକୋଇଲା, ଚଢ଼େଇ ନାଚ, ରାଧା ପ୍ରେମଲୀଳା, ସାହିଯାତ, ଝୁମର, କୃଷ୍ଣଗୁରୁ, ଲଙ୍କାପୋଡି ଆଦିକୁ ପ୍ରଦର୍ଶିତ କରାଯିବା ସହ ଏକାଡେମୀ ତରଫରୁ ଡକୁମେଣ୍ଟେସନ କାର୍ଯ୍ୟ ମଧ୍ୟ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ ସମସ୍ତ କଳାକାରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ଆମ ଲୋକକଳା ହେଉଛି ଆମ ଗର୍ବ ଓ ଗୌରବ। ଆମ ପରିଚୟ। ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଲୋକକଳା ମାଧ୍ୟମରେ ପ୍ରଦର୍ଶିତ ହୋଇଥାଏ। ସାମ୍ପ୍ରତିକ ସମୟରେ ଆମ ଲୋକକଳାର ସଂରକ୍ଷଣ କରିବା ସହ ଏହାର ପ୍ରଚାର ଓ ପ୍ରସାର କରିବାରେ ସମସ୍ତ କଳାକାରମାନଙ୍କ ଭୂମିକା ପ୍ରଶଂସନୀୟ। ଆଗକୁ ଓଡ଼ିଶାର ସମୃଦ୍ଧ ଲୋକକଳାକୁ ଉତ୍ତରପିଢ଼ି ପାଖରେ ପହଞ୍ଚାଇବା ଏବଂ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଲୋକକଳା ପାଇଁ ଏକ ଅନନ୍ୟ ପରିଚୟ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ସମସ୍ତ କଳାକାରମାନେ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଲୋକକଳା ଗ୍ରୁପକୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶାର ଲୋକକଳା ଉପରେ ଆଧାରିତ ପୁସ୍ତକ ‘ଲୋକ ରଞ୍ଜନୀ’ ଉନ୍ମୋଚିତ ହୋଇଥିଲା।

ଆଜିର କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଓଡ଼ିଶା ଲଳିତ କଳା ଏକାଡେମୀ ସଚିବ ଡ଼. ଦେବଯାନୀ ଭୂୟାଁ, ସଂସ୍କୃତି ଗବେଷକ ଶ୍ରୀ ନିରଞ୍ଜନ ପଣ୍ଡା, ଡ଼. ଜ୍ୟୋତିର୍ମୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଲୁପ୍ତପ୍ରାୟ ଲୋକକଳାର ପୁନରୁଦ୍ଧାର, ପ୍ରଚାର ଓ ପ୍ରସାର ନିମନ୍ତେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ନିରନ୍ତର କାର୍ଯ୍ୟ କରାଯାଉଛି। ରାଜ୍ୟବ୍ୟାପୀ ଲୋକନାଟକ, ଲୋକସଙ୍ଗୀତ, ଲୋକନୃତ୍ୟ, ଲୋକବାଦ୍ୟ ଆଦି କାର୍ଯ୍ୟକ୍ରମର ଆୟୋଜନ, ଦୀକ୍ଷାନ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ହଜି ଯାଉଥିବା ଲୋକକଳାର ପୁନରୁଦ୍ଧାର ପାଇଁ ଗୁରୁ-ଶିଷ୍ୟ ପରମ୍ପରା ମାଧ୍ୟମରେ ଯୁବପିଢ଼ିଙ୍କୁ ଶିକ୍ଷା ପ୍ରଦାନ କରିବା, କଳାକାର ଗୌରବ ନିଧି ଓ ଲୋକରଞ୍ଜନୀ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକକଳାର ସଂରକ୍ଷଣ କରିବା ଆଦି କାର୍ଯ୍ୟ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ କରାଯାଉଛି।