ଶଲ୍ୟ ଚିକିତ୍ସାର ସୁଲଭତା ଓ ସହଜ ଉପଲବ୍ଧତା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ୩୬ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର, ୦୨/୧୦: ଗ୍ରାମାଞ୍ଚଳ ଓ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ଅଞ୍ଚଳର ରୋଗୀମାନଙ୍କ ପାଇଁ ଉନ୍ନତ ଶଲ୍ୟ ଚିକିତ୍ସାକୁ ସୁଲଭ, ସହଜଲଭ୍ୟ ଓ ସାଧ୍ୟମତେ କମ ଖର୍ଚ୍ଚରେ ଉପଲବ୍ଧ କରାଇବା ଉପରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି।

ଶୁକ୍ରବାର ଦିନ ଭୁବନେଶ୍ୱରରେ ଅନୁଷ୍ଠିତ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ୩୬ତମ ବାର୍ଷିକ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରି ରାଜ୍ୟପାଳ କହିଛନ୍ତି ଯେ, ଚିକିତ୍ସା କ୍ଷେତ୍ରର ଉତ୍କର୍ଷତାର ପ୍ରକୃତ ମାପକ କେବଳ କେତେ ଉନ୍ନତ ଚିକିତ୍ସା ପଦ୍ଧତି ବିକଶିତ ହୋଇପାରୁଛି ତାହା ନୁହେଁ; ବରଂ ଏହାର ସୁଫଳ କେତେ ବ୍ୟାପକ ଭାବେ ଲୋକଙ୍କ ନିକଟରେ ପହଞ୍ଚିପାରୁଛି, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଦ୍ରୁତ ବୈଷୟିକ ବିକାଶ ଯୋଗୁଁ ଶଲ୍ୟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିରେ ଚିକିତ୍ସାର ନୂଆ ସମ୍ଭାବନା ସୃଷ୍ଟି ହେଉଥିବାରୁ ଏହି ଦିଗଟି ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ସେ କହିଛନ୍ତି।

ଶଲ୍ୟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଉନ୍ନତ ବିଜ୍ଞାନ, ଅତ୍ୟାଧୁନିକ ପ୍ରଯୁକ୍ତି ଓ କରୁଣାପୂର୍ଣ୍ଣ ରୋଗୀସେବାର ଏକ ସମନ୍ୱିତ କ୍ଷେତ୍ର ବୋଲି ଅଭିହିତ କରି ରାଜ୍ୟପାଳ କହିଛନ୍ତି ଯେ, ଏହି ବିଶେଷଜ୍ଞତାରେ ଖାଦ୍ୟନଳୀ, ପାକସ୍ଥଳୀ, ଅନ୍ତନଳୀ, ଯକୃତ, ଅଗ୍ନାଶୟ, ପିତ୍ତକୋଷ, ପିତ୍ତନଳୀ ଓ ମଳାଶୟ ସମ୍ବନ୍ଧୀୟ ଜଟିଳ ରୋଗର ଚିକିତ୍ସା କରାଯାଏ। ଏହି ଜଟିଳତା ଦୃଷ୍ଟିରୁ ବୈଷୟିକ ଦକ୍ଷତା ସହିତ ସଠିକ୍ ଚିକିତ୍ସା ନିଷ୍ପତ୍ତି ଓ ବିଭିନ୍ନ ବିଶେଷଜ୍ଞଙ୍କ ସମନ୍ୱିତ ଯୋଜନା ରୋଗୀସେବା ପାଇଁ ଅତ୍ୟାବଶ୍ୟକ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି।

ବ୍ୟାପକ ଓପନ୍ ସର୍ଜରୀରୁ ଆଜିର ଲାପାରୋସ୍କୋପିକ୍, ଏଣ୍ଡୋସ୍କୋପିକ୍, ରୋବୋଟିକ୍ ଏବଂ ଅନ୍ୟାନ୍ୟ ନ୍ୟୁନତମ ଆକ୍ରମକ ଶଲ୍ୟ ପଦ୍ଧତି ପର୍ଯ୍ୟନ୍ତ ଏହି ବିଶେଷଜ୍ଞତାର ଯାତ୍ରା ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଆଧୁନିକ ଶଲ୍ୟ ଚିକିତ୍ସା କେବଳ ରୋଗ ନିରାକରଣରେ ସୀମିତ ନୁହେଁ। ଏହା ଚିକିତ୍ସାରେ ଅଧିକ ସଠିକତା, ଅଙ୍ଗର କାର୍ଯ୍ୟକ୍ଷମତା ସୁରକ୍ଷା, ଜଟିଳତା ହ୍ରାସ, ଶୀଘ୍ର ସୁସ୍ଥତା ଏବଂ ରୋଗୀଙ୍କ ଜୀବନର ଗୁଣବତ୍ତାରେ ଉନ୍ନତି ଉପରେ ମଧ୍ୟ ଗୁରୁତ୍ୱ ଦେଉଛି।

ଇମେଜିଂ, ମଲିକ୍ୟୁଲାର ଡାଏଗ୍ନୋଷ୍ଟିକ୍ସ, ପ୍ରିସିଜନ୍ ଅଙ୍କୋଲୋଜି ଓ ପେରିଅପରେଟିଭ୍ କେୟାର କ୍ଷେତ୍ରରେ ଅଗ୍ରଗତି ଚିକିତ୍ସା ପଦ୍ଧତିକୁ ଆହୁରି ପରିବର୍ତ୍ତନ କରୁଛି ବୋଲି ରାଜ୍ୟପାଳ କହିଥିଲେ। ବିଶେଷକରି ହେପାଟୋବିଲିଆରୀ ଓ ପାନ୍କ୍ରିଆଟିକ୍ ସର୍ଜରୀ, ଅଙ୍ଗ ପ୍ରତିରୋପଣ ଏବଂ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ୍ ଅଙ୍କୋଲୋଜି କ୍ଷେତ୍ରରେ ବିଭିନ୍ନ ଚିକିତ୍ସା ବିଶେଷଜ୍ଞଙ୍କ ମଧ୍ୟରେ ସହଯୋଗ ଅଧିକ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

କୃତ୍ରିମ ବୁଦ୍ଧିମତ୍ତା (AI), ଥ୍ରୀ ଡ଼ାଈମେନସନାଲ ଇମେଜିଂ, ଇମେଜ୍-ଗାଇଡେଡ୍ ପ୍ରୋସିଜର, ରୋବୋଟିକ୍ ସିଷ୍ଟମ୍ ଏବଂ ସର୍ଜିକାଲ୍ ସିମୁଲେସନ୍ ଭଳି ନୂତନ ପ୍ରଯୁକ୍ତି ଶଲ୍ୟ ଚିକିତ୍ସାର ଯୋଜନା, ସଠିକତା, ପ୍ରଶିକ୍ଷଣ ଓ ରୋଗୀ ସୁରକ୍ଷାକୁ ଉନ୍ନତ କରିବାରେ ସହାୟକ ହେଉଛି ବୋଲି ରାଜ୍ୟପାଳ କହିଥିଲେ। ତେବେ ପ୍ରଯୁକ୍ତି ଶଲ୍ୟ ଚିକିତ୍ସକଙ୍କୁ ସହାୟତା କରିପାରେ, କିନ୍ତୁ ବୃତ୍ତିଗତ ବିଚାରବୁଦ୍ଧି, ନୈତିକତା, ଦାୟିତ୍ୱବୋଧ ଓ ମାନବିକତାର ସ୍ଥାନ ନେଇପାରିବ ନାହିଁ ବୋଲି ରାଜ୍ୟପାଳ ସ୍ପଷ୍ଟ କରିଥିଲେ।

ଏହି ଆଧୁନିକ ଚିକିତ୍ସା ସୁବିଧାଗୁଡ଼ିକ ଯେପରି ମହାନଗର ବା ପ୍ରମୁଖ ସହର ବାହାରେ ଥିବା ରୋଗୀମାନଙ୍କ ନିକଟରେ ମଧ୍ୟ ପହଞ୍ଚିପାରିବ, ତାହା ଆଜିର ପ୍ରମୁଖ ଆହ୍ୱାନ ବୋଲି ରାଜ୍ୟପାଳ କହିଛନ୍ତି। IASGCON-2026 ଆୟୋଜନ ପାଇଁ ଓଡ଼ିଶାକୁ ସୁଯୋଗ ମିଳିଥିବାରୁ ସେ ଆନନ୍ଦ ପ୍ରକାଶ କରିବା ସହ ଭୁବନେଶ୍ୱର ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା, ଚିକିତ୍ସା ଶିକ୍ଷା ଓ ଗବେଷଣାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହେଉଥିବା କହିଥିଲେ। ଦେଶର ବିବିଧ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ପରିପ୍ରେକ୍ଷୀରେ ଗବେଷଣା ଓ ପ୍ରଭାବଶାଳୀ ଚିକିତ୍ସା ମଡେଲ୍ ବିକଶିତ କରିବାର ଆବଶ୍ୟକତା ଉପରେ ମଧ୍ୟ ରାଜ୍ୟପାଳ ଜୋର ଦେଇଥିଲେ।

ଏହି ସମ୍ମିଳନୀରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚିକିତ୍ସକ, ଗବେଷକ ଓ ଯୁବ ଶଲ୍ୟ ଚିକିତ୍ସକମାନେ ଜ୍ଞାନ ଓ ଅଭିଜ୍ଞତାର ଆଦାନପ୍ରଦାନ କରିଥିଲେ। ଯୁବ ଶଲ୍ୟ ଚିକିତ୍ସକମାନେ ବୈଷୟିକ ଦକ୍ଷତା ସହିତ ବୈଜ୍ଞାନିକ ଉତ୍ସୁକତା, ସମାଲୋଚନାତ୍ମକ ଚିନ୍ତନ ଓ ନୈତିକ ଦାୟିତ୍ୱବୋଧକୁ ନିଜ ବୃତ୍ତିଜୀବନର ଅଂଶ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ।

ସେହିପରି ପ୍ରତିଷ୍ଠାନଗତ ସହଯୋଗ, ବହୁମୁଖୀ ଗବେଷଣା ଏବଂ ଗବେଷଣାର ଫଳାଫଳକୁ ଦୈନନ୍ଦିନ ରୋଗୀସେବାରେ ପ୍ରୟୋଗ କରିବା ଦିଗରେ ଉଦ୍ୟମ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ଓଡ଼ିଶାରେ ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ପ୍ରଫେସର (ଡ.) ମାନସ ରଞ୍ଜନ ସାହୁ ଏବଂ ଆୟୋଜକ କମିଟିକୁ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ।

ଏହି ସମ୍ମିଳନୀ ଅବସରରେ IASGର ପ୍ରତିଷ୍ଠାତା ସଭାପତି ପ୍ରଫେସର ବି. ଏମ୍. ଏଲ୍. କପୁରଙ୍କୁ ସମ୍ମାନିତ କରାଯାଇଥିଲା। IASGର ସମ୍ପାଦକ ଡ. ସୁଜୟ ପାଲ୍ ଓ ସଭାପତି ଡ. ଟି. ଡି. ଯାଦବ ମଧ୍ୟ ଉଦ୍‌ବୋଧନ ଦେଇଥିଲେ। ଆୟୋଜକ ଅଧ୍ୟକ୍ଷ ଡ. ମହମ୍ମଦ ଇବ୍ରାରୁଲ୍ଲାହ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଆୟୋଜକ ସମ୍ପାଦକ ପ୍ରଫେସର (ଡ.) ମାନସ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।