ଦିବଂଗତ ବିଧାୟକ ମାନସ ମଲ୍ଲିକଙ୍କ ଶ୍ରାଦ୍ଧ ଦିବସରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଶିବିରର ସଫଳ ଆୟୋଜନ ପାଇଁ ଦୁଇଟି ସ୍ଥାନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଧୁଷୁରୀ, ୦୩/୧୦ : ଦର୍ଶନ ନିୟୁଜ୍ ଦିବଂଗତ ବିଧାୟକ ମାନସ ମଲ୍ଲିକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଧାମନଗର ବ୍ଲକ ଅନ୍ତର୍ଗତ ହସନାବାଦସ୍ଥିତ ହୃଦାନନ୍ଦ କଲ୍ୟାଣ ମଣ୍ଡପ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯିବ। ଏହି ଶିବିରକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ସ୍ମୃତି କମିଟି ପକ୍ଷରୁ ଦୁଇଟି ସ୍ଥାନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ସ୍ମୃତି କମିଟିର ସଭାପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ଦେବାଶିଷ ସାମଲଙ୍କ ନେତୃତ୍ୱରେ ଧାମନଗର ବ୍ଲକର ପାଳସାହିସ୍ଥିତ ଗାନ୍ଧୀଘାଟ ଏବଂ ହସନାବାଦସ୍ଥିତ ହୃଦାନନ୍ଦ କଲ୍ୟାଣ ମଣ୍ଡପ ପରିସରରେ ଦୁଇଟି ପୃଥକ୍ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଆଗାମୀ ଚକ୍ଷୁ ଚିକିତ୍ସା ଶିବିରର ସଫଳ ଆୟୋଜନ ଓ ସୁପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ରୋଗୀମାନଙ୍କୁ ଉନ୍ନତମାନର ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ସେବା ଯୋଗାଇ ଦିଆଯିବା ସହ ଆବଶ୍ୟକତା ଅନୁଯାୟୀ ମାଗଣା ଚଷମା ମଧ୍ୟ ପ୍ରଦାନ କରାଯିବ ବୋଲି ସ୍ମୃତି କମିଟି ପକ୍ଷରୁ ଘୋଷଣା କରାଯାଇଛି। ଏହି ଶିବିର ମାଧ୍ୟମରେ ଅଞ୍ଚଳର ଗରିବ, ଅସହାୟ ଓ ଆବଶ୍ୟକ କରୁଥିବା ଲୋକମାନେ ଚକ୍ଷୁ ଚିକିତ୍ସା ସେବା ପାଇପାରିବେ।ବୈଠକରେ ଧୂଷୁରୀ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ମଲ୍ଲିକ, ନିର୍ବାଚନମଣ୍ଡଳୀ ନେତା ସଞ୍ଜୟ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ, ଧୂଷୁରୀ ସେବା ସମବାୟ ସମିତିର ସଭାପତି ସନ୍ଦୀପ ସ୍ୱାଇଁ, ହସନାବାଦ ସରପଞ୍ଚ ଅଜୟ ମଲ୍ଲିକ, ରାଇପୁର ସରପଞ୍ଚ ଜଗତାନନ୍ଦ ସେଠୀ, ବରିଷ୍ଠ ନେତା ଉମେଶ ତ୍ରିପାଠୀ, ସନ୍ତୋଷ ରାୟ, ଅନନ୍ତ ନାୟକ, ଦଶରଥ ମଲ୍ଲିକ ଏବଂ ନେତ୍ରସାଥୀ କଳ୍ପନା ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ବୈଠକରେ ଶିବିରରେ ରୋଗୀମାନଙ୍କ ପଞ୍ଜୀକରଣ, ଚକ୍ଷୁ ପରୀକ୍ଷା, ଚିକିତ୍ସା ସେବା ଏବଂ ମାଗଣା ଚଷମା ବଣ୍ଟନ ଆଦି କାର୍ଯ୍ୟକୁ କିପରି ସୁବ୍ୟବସ୍ଥିତ ଭାବେ ପରିଚାଳନା କରାଯିବ, ସେନେଇ ଆଲୋଚନା ହୋଇଥିଲା। ଏଥିସହ ଶିବିରରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ଏବଂ ସେମାନଙ୍କୁ ଉଚିତ୍ ଚିକିତ୍ସା ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।ଦିବଂଗତ ବିଧାୟକ ମାନସ ମଲ୍ଲିକଙ୍କ ସ୍ମୃତିରେ ଏଭଳି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ନେଇ ଅଞ୍ଚଳରେ ଆଲୋଚନା ହେଉଥିବା ବେଳେ ଏହି ଶିବିର ମାଧ୍ୟମରେ ଅନେକ ଲୋକ ଉପକୃତ ହେବେ ବୋଲି ଆଶା ରଖାଯାଇଛି।