ସ୍ବର୍ଣ୍ଣ ପଦକ ବିଜେତା ମହିଳା ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା

ପ୍ରତି ଖେଳାଳିଙ୍କୁ ମିଳିବ ୧୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର

ଭୁବନେଶ୍ୱର, ୦୩/୧୦: ଏସିଆନ୍ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜେତା ମହିଳା ହକି ଟିମ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର। ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟ ପାଇଁ ଭାରତୀୟ ମହିଳା ହକି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ଏବଂ କୋଚ ଓ ଅନ୍ୟ ସପୋର୍ଟ ଷ୍ଟାଫ୍ ଙ୍କୁ ୫.୫ ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସୂଚନାଯୋଗ୍ୟ, ଭାରତୀୟ ମହିଳା ହକି ଦଳ ଏକ ଐତିହାସିକ ବିଜୟ ହାସଲ କରିଛି। ଏସିଆନ୍ ଗେମ୍ସ ୨୦୨୬ର ଫାଇନାଲ୍‌ରେ ଚୀନକୁ ୧-୦ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି। ଫାଇନାଲ୍ ମ୍ୟାଚ୍ ଗିଫୁ ପ୍ରିଫେକ୍ଚରାଲ୍ ଗ୍ରିନ୍ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଥିଲା। ଏହି ସ୍ୱର୍ଣ୍ଣ ସହିତ ଭାରତ ଲସ୍ ଏଞ୍ଜେଲସ୍ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଛି।

୪୪ ବର୍ଷ ପରେ ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛି ମହିଳା ହକି ଦଳ। ୧୯୮୨ ନୂଆଦିଲ୍ଲୀ ଏସିଆନ୍ ଗେମ୍ସରେ ଏଲିଜା ନେଲ୍‌ସନଙ୍କ ନେତୃତ୍ୱରେ ଭାରତ ପ୍ରଥମ ସ୍ୱର୍ଣ୍ଣ ଜିତିଥିଲା। ତା’ପରେ ୧୯୯୮ ଓ ୨୦୧୮ରେ ଫାଇନାଲ୍‌ରେ ପହଞ୍ଚି କେବଳ ରୌପ୍ୟ ପଦକ ପାଇଥିଲା।