ଲୋକ ଭବନରେ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ବୈଠକ, ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ଉପସ୍ଥିତ

ଭୁବନେଶ୍ୱର, ୦୩/୧୦: ଲୋକଭବନରେ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକର ଶିକ୍ଷା ଓ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି। ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ଡ. ହରି ବାବୁ କମ୍ଭମପାଟିଙ୍କ ଅଧ୍ୟକ୍ଷତାରେ କୁଳପତିମାନଙ୍କ ସହ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗ ଦେଇଛନ୍ତି। ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ବିଶ୍ୱବିଦ୍ୟାଳୟଗୁଡ଼ିକର ଦୈନନ୍ଦିନ ପ୍ରଶାସନିକ ଓ ଶିକ୍ଷାଗତ ସମସ୍ୟାର ସମାଧାନ ଉପରେ ଆଲୋଚନା ହେଉଛି।

ବୈଠକରେ ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ପ୍ରଶାସନିକ କାର୍ଯ୍ୟର ସୁଚାରୁ ପରିଚାଳନା, ଗବେଷଣା, ଭିତ୍ତିଭୂମି ବିକାଶ ଏବଂ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପରିବେଶ ଯୋଗାଇବା ନେଇ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ, ଅଣଶିକ୍ଷକ ପଦବୀର ଆବଶ୍ୟକତା ଏବଂ ମାନବ ସମ୍ବଳ ଅଭାବ ଯୋଗୁଁ ବିଶ୍ୱବିଦ୍ୟାଳୟର କାର୍ଯ୍ୟ କିଭଳି ପ୍ରଭାବିତ ହେଉଛି, ସେ ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।