ଭୁବନେଶ୍ୱର, ୦୩/୧୦: ଭୁବନେଶ୍ୱରରୁ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍କୁ ପୁଣି ଆରମ୍ଭ ହୋଇଛି ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା। ଗତ ଜୁଲାଇ ମାସରୁ ସାମୟିକ ଭାବେ ବନ୍ଦ ରହିଥିବା ଏହି ବିମାନ ସେବା ଶୁକ୍ରବାରଠାରୁ ପୁନଃ ଆରମ୍ଭ ହୋଇଛି। ଏହାଦ୍ୱାରା ଭୁବନେଶ୍ୱରରୁ ବିଦେଶ ଯାତ୍ରା କରୁଥିବା ଯାତ୍ରୀଙ୍କ ସମେତ ପର୍ଯ୍ୟଟକ ଓ ବ୍ୟବସାୟୀମାନେ ଉପକୃତ ହେବେ।
ଶୁକ୍ରବାର ରାତି ୧୧ଟା ୫ ମିନିଟ୍ରେ ବିମାନ ନମ୍ବର ୧୦୬୫ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବ୍ୟାଙ୍କକ୍ ଅଭିମୁଖେ ଉଡ଼ାଣ ଭରିଥିଲା। ସେହିପରି ଶନିବାର ସକାଳ ୫ଟା ୩୦ ମିନିଟ୍ରେ ବ୍ୟାଙ୍କକ୍ରୁ ଫେରନ୍ତା ବିମାନ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା।
ପ୍ରାରମ୍ଭିକ ପର୍ଯ୍ୟାୟରେ ସପ୍ତାହକୁ ଦୁଇ ଦିନ ଏହି ବିମାନ ସେବା ଉପଲବ୍ଧ ହେବ। ଶୁକ୍ରବାର ଓ ସୋମବାର ରାତିରେ ଭୁବନେଶ୍ୱରରୁ ବିମାନ ବ୍ୟାଙ୍କକ୍ ଅଭିମୁଖେ ଉଡ଼ାଣ କରିବ। ଏହାର ପ୍ରତ୍ୟାବର୍ତ୍ତନ ବିମାନ ଶନିବାର ଓ ମଙ୍ଗଳବାର ସକାଳେ ଭୁବନେଶ୍ୱରରେ ପହଞ୍ଚିବ।
ତେବେ ଆସନ୍ତା ଅକ୍ଟୋବର ୨୫ ତାରିଖରୁ ଶୀତକାଳୀନ ବିମାନ ସୂଚୀ ଅନୁଯାୟୀ ଏହାର ସମୟରେ ପରିବର୍ତ୍ତନ ହେବ। ରାତି ବଦଳରେ ଦିନ ସମୟରେ ଏହି ବିମାନ ଚଳାଚଳ କରିବ। ନୂଆ ସୂଚୀ ଅନୁଯାୟୀ, ବିମାନଟି ସକାଳ ୧୧ଟାରେ ଭୁବନେଶ୍ୱରରେ ପହଞ୍ଚିବ ଏବଂ ଅପରାହ୍ଣ ୧ଟା ୩୫ ମିନିଟ୍ରେ ବ୍ୟାଙ୍କକ୍ ଅଭିମୁଖେ ଉଡ଼ାଣ କରିବ।
ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ ସେବା ପୁନଃ ଆରମ୍ଭ ହେବାକୁ ବିମାନବନ୍ଦର ପାଇଁ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି। ଏହି ରୁଟ୍ରେ ଯାତ୍ରୀଙ୍କ ଚାହିଦା ଭଲ ରହିଥିବାରୁ ଆଗାମୀ ଦିନରେ ଅନ୍ୟ ଅନ୍ତର୍ଜାତୀୟ ରୁଟ୍ରେ ମଧ୍ୟ ବିମାନ ସେବା ବିସ୍ତାର କରିବାକୁ ଯୋଜନା ରହିଛି।
ଏହା ସହ ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା ଆରମ୍ଭ କରିବା ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି। ସେହିପରି ପର୍ଯ୍ୟାପ୍ତ ଯାତ୍ରୀ ମିଳିଲେ ସିଙ୍ଗାପୁରକୁ ମଧ୍ୟ ବିମାନ ସେବା ଆରମ୍ଭ ହେବାର ସମ୍ଭାବନା ରହିଛି। ଏହି ଯୋଜନାଗୁଡ଼ିକ ସଫଳ ହେଲେ ଭୁବନେଶ୍ୱର ବିମାନବନ୍ଦରର ଅନ୍ତର୍ଜାତୀୟ ଯୋଗାଯୋଗ ଆହୁରି ସୁଦୃଢ଼ ହେବା ସହ ଓଡ଼ିଶାର ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରକୁ ମଧ୍ୟ ଲାଭ ମିଳିପାରିବ।