ଜନ୍ତରମନ୍ତରରେ ବିକ୍ଷୋଭ ମନା

ପ୍ରଦର୍ଶନ ସ୍ଥଳୀ ଭାବେ ଜନ୍ତରମନ୍ତରର ମାନ୍ୟତା ରଦ୍ଦ

ଆନ୍ଦୋଳନ ପାଇଁ ୩ଟି ନୂତନ ସ୍ଥାନ ଚିହ୍ନଟ

ନୂଆଦିଲ୍ଲୀ, ୧୨/୧୦: ରାଜଧାନୀ ଦିଲ୍ଲୀର ଐତିହାସିକ ତଥା ଚର୍ଚ୍ଚିତ ପ୍ରତିବାଦ ସ୍ଥଳ ‘ଜନ୍ତରମନ୍ତର’ରେ ଆଉ କୌଣସି ପ୍ରକାର ଧାରଣା କିମ୍ବା ବିକ୍ଷୋଭ ପ୍ରଦର୍ଶନ କରାଯାଇପାରିବ ନାହିଁ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟିର ସୁପାରିସ ଆଧାରରେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ପ୍ରଦର୍ଶନ ସ୍ଥଳୀ ଭାବେ ଜନ୍ତରମନ୍ତରର ମାନ୍ୟତା ରଦ୍ଦ କରାଯାଇଛି।

ଜନ୍ତରମନ୍ତରରେ ନିୟମିତ ପ୍ରଦର୍ଶନ ଓ ବିକ୍ଷୋଭ କାରଣରୁ ନିକଟସ୍ଥ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ, ସଂସଦ ଭବନ ଏବଂ ଭିଭିଆଇପି (VVIP) ରୁଟ୍ ଗୁଡ଼ିକରେ ପ୍ରବଳ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ବଡ଼ ଧରଣର ଆନ୍ଦୋଳନ ସମୟରେ ଏହି ସମ୍ବେଦନଶୀଳ ଅଞ୍ଚଳରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ଦିଲ୍ଲୀ ପୋଲିସ ପାଇଁ କଠିନ ହୋଇପଡ଼ୁଛି। ବାରମ୍ବାର ବିକ୍ଷୋଭ ଯୋଗୁଁ ନିକଟସ୍ଥ ବ୍ୟବସାୟିକ ପ୍ରତିଷ୍ଠାନ, ଆବାସିକ ଅଞ୍ଚଳ ଏବଂ ପାସେଞ୍ଜର ସେବା ମଧ୍ୟ ପ୍ରଭାବିତ ହେଉଛି।

ତେଣୁ ଗୃହ ମନ୍ତ୍ରାଳୟ କମିଟି ପ୍ରଦର୍ଶନକାରୀଙ୍କ ପାଇଁ ବିକ୍ଷୋଭ ସ୍ଥଳକୁ ଦିଲ୍ଲୀର ଅନ୍ୟ ସୁରକ୍ଷିତ ଓ ପ୍ରଶସ୍ତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସୁପାରିସ୍ କରିଛି। ନୂତନ ପ୍ରସ୍ତାବ ଅନୁଯାୟୀ ରାମଲୀଳା ମୈଦାନକୁ ବଡ଼ ଧରଣର ରାଜନୈତିକ ରାଲି, ବିଶାଳ ସମାବେଶ ଏବଂ ବୃହତ ଆନ୍ଦୋଳନ ପାଇଁ ମୁଖ୍ୟ ସ୍ଥାନ ଭାବେ ବ୍ୟବହାର କରାଯିବ। ବୁରାରୀ ଗ୍ରାଉଣ୍ଡରେ ଦିଲ୍ଲୀ ବାହାରୁ ଆସୁଥିବା ବୃହତ ପ୍ରଦର୍ଶନକାରୀ ସଂଗଠନ ଓ କୃଷକ ଆନ୍ଦୋଳନ ଭଳି କାର୍ଯ୍ୟକ୍ରମ ହୋଇପାରିବ। ପୂର୍ବ ଦିଲ୍ଲୀ ଅଞ୍ଚଳରେ ଛୋଟ ଓ ମଧ୍ୟମ ଧରଣର ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ପାଇଁ ସିବିଡି ଗ୍ରାଉଣ୍ଡ, ଶାହଦରାକୁ ବିକଳ୍ପ ଭାବେ ଚୟନ କରାଯାଇଛି।

ଗୃହ ମନ୍ତ୍ରାଳୟର ସୁପାରିସ କାର୍ଯ୍ୟକାରୀ ହେବା ପରେ ଦିଲ୍ଲୀ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଜନ୍ତରମନ୍ତରରେ ବିକ୍ଷୋଭ ପାଇଁ ଅନୁମତି ଦିଆଯିବ ନାହିଁ। ଆନ୍ଦୋଳନକାରୀ ଓ ବିଭିନ୍ନ ସଂଗଠନଗୁଡ଼ିକୁ କେବଳ ନିର୍ଦ୍ଧାରିତ ନୂଆ ସ୍ଥାନଗୁଡ଼ିକରେ ହିଁ ପ୍ରଦର୍ଶନ କରିବାକୁ ଅନୁମତି ମିଳିବ।