ଭାରତ ଭିତରେ ପଶିବାକୁ ଉଦ୍ୟମ ବେଳେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ

ଲସ୍କର କମାଣ୍ଡର ମହମ୍ମଦ ଫୈଜାନ ସମେତ ୪ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର, ୧୩/୧୦: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ଅତିକ୍ରମ କରି ଭାରତ ଭିତରକୁ ପ୍ରବେଶ କରିବା ସମୟରେ ଏକ ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୪ ଜଣ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ମୃତକଙ୍କ ମଧ୍ୟରେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତାଇବା (LeT)ର ଜଣେ ବରିଷ୍ଠ କମାଣ୍ଡର ମଧ୍ୟ ସାମିଲ ଅଛି।

ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣା ଘାଟି ସେକ୍ଟରର ‘ନାଙ୍ଗି ଟାକରି’ ଅଞ୍ଚଳରେ ଏହା ଘଟିଛି। ଏହି ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା (LoC) ଅତିକ୍ରମ କରି ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ସେହି ସମୟରେ ସେମାନେ ଅଜାଣତରେ ସୀମାନ୍ତରେ ସୁରକ୍ଷା ଦୃଷ୍ଟିରୁ ବିଛାଯାଇଥିବା ଏକ ଲ୍ୟାଣ୍ଡମାଇନ୍‌ ସଂସ୍ପର୍ଶରେ ଆସିଯାଇଥିଲେ, ଯାହାଫଳରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତାଇବା (LeT) ର କମାଣ୍ଡର ମହମ୍ମଦ ଫୈଜାନ ଅଛି। ଏଥି ସହିତ ଅନ୍ୟ ୩ ଜଣ ସହଯୋଗୀ ଆତଙ୍କବାଦୀ ମଧ୍ୟ ଘଟଣାସ୍ଥଳରେ ହିଁ ନିହତ ହୋଇଛନ୍ତି।

ଏହି ଘଟଣା ପରେ ସେହି ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ କମ୍ବିଂ ଅପରେସନ୍ ଏବଂ ସର୍ଚ୍ଚ ଅଭିଯାନ ଜୋରଦାର କରାଯାଇଛି। ଅନ୍ୟ ଆତଙ୍କବାଦୀ ଲୁଚି ରହିଥିବା ନେଇ ଆଶଙ୍କା କରାଯାଉଛି।