ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବୀରେ ଧର୍ମଘଟ ସମୟରେ ଓକିଲମାନେ ଅଦାଲତ ପରିସରରେ ଭଙ୍ଗାରୁଜା କରିବା ଘଟଣାରେ ନିଜର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଶୀର୍ଷ ଅଦାଲତ ସୁପ୍ରିମ୍କୋର୍ଟ। ଆନ୍ଦୋଳନ ସମୟରେ ଭଙ୍ଗାରୁଜା କରୁଥିବା ଓକିଲଙ୍କ ସହ ଭଦ୍ରୋଚିତ ବ୍ୟବହାରର ଆବଶ୍ୟକତା ନାହିଁ; ସେମାନଙ୍କୁ ହାଜତରେ ପୂରାଅ ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବୋଲି ସୁପ୍ରିମକୋର୍ଟ ସୋମବାର ଓଡ଼ିଶା ରାଜ୍ୟ ସରକାର ଏବଂ ରାଜ୍ୟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ଦାବିରେ ଧର୍ମଘଟ ସମୟରେ ଅଦାଲତ ପରିସରରେ ଓକିଲମାନଙ୍କର ଭଙ୍ଗାରୁଜାର ଭିଡିଓ ଫୁଟେଜ ଦେଖିବା ପରେ ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ ଏସକେ କୌଲ ଏବଂ ଜଷ୍ଟିସ୍ ଏଏସ ଓକାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଓଡ଼ିଶା ରାଜ୍ୟ ସରକାର ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତାକାଲି ପରେ କୋର୍ଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହି ବିକ୍ଷୋଭକାରୀ ଓକିଲଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ କହିଛନ୍ତି।