ଗୁଜୁରାଟ ବିଧାନସଭାର ୧୬ ପ୍ରତିଶତ ବିଧାୟକଙ୍କ ନାମରେ ରହିଛି ସଙ୍ଗୀନ ମାମଲା

ଗୁଜୁରାଟ ବିଧାନସଭା ନିର୍ବାଚନରେ ରେକର୍ଡ ବିଜୟ ସହ ଭାରତୀୟ ଜନତା ପାର୍ଟି (ବିଜେପି) କ୍ଷମତାକୁ ଫେରିଛି। ଦ୍ୱିତୀୟ ଥର ପାଇଁ ଭୁପେନ୍ଦ୍ର ପଟେଲ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ତାଙ୍କ ବ୍ୟତୀତ ୧୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ତେବେ ବିଜେପି ସପ୍ତମ ଥର କ୍ଷମତାକୁ ଫେରିଥିବାବେଳେ ନିକଟରେ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍ ନୂତନ ବିଧାୟକମାନଙ୍କ ଉପରେ ଏକ ରିପୋର୍ଟ ପ୍ରକାଶ କରି ସେମାନଙ୍କର ଅପରାଧିକ, ଆର୍ଥିକ ଏବଂ ଅନ୍ୟାନ୍ୟ ରେକର୍ଡଗୁଡିକର ବିବରଣୀ ପ୍ରଦାନ କରିଛି। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଏହି ରିପୋର୍ଟରେ କଣ ସବୁ ତଥ୍ୟ ରହିଛି। ନୂତନ ବିଧାୟକଙ୍କ ମଧ୍ୟରେ ୨୨ ପ୍ରତିଶତ ଅର୍ଥାତ୍ ୪୦ ଜଣ ବିଧାୟକ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି।

୨୦୧୭ ମସିହାର ଆକଳନଠାରୁ ଏହା କମ୍ । ଗତ ବିଧାନସଭାରେ ୪୭ ଜଣ ବିଧାୟକ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଥିଲେ। ୪୦ ଜଣ ବିଧାୟକଙ୍କ ମଧ୍ୟରୁ ୨୯ ଜଣ ବିଧାୟକ ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଥିବାର ଘୋଷଣା କରିଛନ୍ତି। ଏଥିରେ ସର୍ବସାଧାରଣ ସମ୍ପତ୍ତିର କ୍ଷତି, ଆକ୍ରମଣ, ହତ୍ୟା, ଅପହରଣ, ଦୁଷ୍କର୍ମ ସମ୍ବନ୍ଧୀୟ ମାମଲା ରହିଛି ।