ନୂଆଦିଲ୍ଲୀ : ତାଲିବାନ ଦ୍ବାରା ବିଶ୍ବବିଦ୍ୟାଳୟରେ ମହିଳାମାନଙ୍କ ଶିକ୍ଷା ଉପରେ କଟକଣା ଲଗାଯିବାକୁ ନେଇ ଚିନ୍ତା ପ୍ରକାଶ କରିଛି ଭାରତ । ଭାରତ ସବୁବେଳେ ଆଫଗାନିସ୍ତାନରେ ମହିଳା ଶିକ୍ଷାକୁ ସମର୍ଥନ କରିଆସିଛି ।
ଗୁରୁବାରଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଆଫଗାନିସ୍ତାନରେ ମହିଳା ମାନଙ୍କୁ ବିଶ୍ବବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ କରାଯିବା ସଂପର୍କିତ ଖବର ଆମ ସାମନାକୁ ଆସିଛି । ଏହାକୁ ନେଇ ଆମେ ଚିନ୍ତା ପ୍ରକଟ କରୁଛୁ । ଆମେ ସବୁବେଳେ ଆଫଗାନିସ୍ତାନରେ ମହିଳା ଶିକ୍ଷାକୁ ସମର୍ଥନ କରିଆସିଛୁ । ଆଫଗାନିସ୍ତାନରେ ଏକ ସମାବେଶୀ ଓ ପ୍ରତିନିଧିମୂଳକ ସରକାର ସ୍ଥାପନ ଉପରେ ଭାରତ ଗୁରୁତ୍ବ ଦେଇଆସିଛି । ଏପରି ଏକ ସରକାର ଯାହାକି ମହିଳା ଓ ଝିଅମାନଙ୍କୁ ଉଚ୍ଚଶିକ୍ଷା ସମେତ ସମାଜର ସବୁ ସ୍ତରରେ ସମାନ ଅଧିକାର ଦେଉଥିବ ।