ନୂଆଦିଲ୍ଲୀ: ଫେରୁଛି କରୋନା, ସତର୍କ ହେଉଛି ଭାରତ। ଚୀନ, ଆମେରିକା ଓ ଜାପାନ ଆଦି ଦେଶରେ କରୋନାର ଦ୍ରୁତ ସଂକ୍ରମଣ ମଧ୍ୟରେ ଭାରତ ସରକାର ସତର୍କ ହୋଇଛନ୍ତି। କିଛି ମାସ ତଳେ ସମସ୍ତ କରୋନା କଟକଣା ହଟାଇ ଦିଆଯାଇଥିବା ବେଳେ ଏବେ ପୁଣି ଥରେ ସଂକ୍ରମଣ ବଢ଼ିବାରୁ କଟକଣା ଲାଗୁ ହେବା ଆରମ୍ଭ ହୋଇଛି। ସତର୍କତାମୂଳକ ପଦକ୍ଷେପ ଭାବରେ କର୍ଣ୍ଣାଟକ ସରକାର ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି।
ଏହା ସହ ନୂଆ ଭାରିଆଣ୍ଟକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କୁ କିଛି ନିର୍ଦ୍ଦେଶ ଦେଇଛନ୍ତି। କରୋନା ପରୀକ୍ଷା ପାଇଁ ଆସୁଥିବା ନମୁନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଇବାକୁ କେନ୍ଦ୍ର ରାଜ୍ୟ ସରକାରଙ୍କୁ କହିଛି। ଏହା ଦ୍ବାରା ଭୂତାଣୁର ନୂଆ ଭାରିଆଣ୍ଟ ଠିକ ସମୟରେ ଚିହ୍ନଟ ହୋଇପାରିବ ଏବଂ ସଂକ୍ରମଣକୁ ନିୟନ୍ତ୍ରଣରେ ରଖାଯାଇପାରିବ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନରେ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ ବିଏଫ.୭ ଭାରିଆଣ୍ଟ ଦ୍ବାରା ଜୁଲାଇରେ ୪ଜଣ ଭାରତୀୟ ସଂକ୍ରମିତ ହୋଇଥିଲେ। ତେବେ ସଂକ୍ରମଣକୁ ନଜରରେ ରଖି ବର୍ତ୍ତମାନ ଚାଲିଥିବା ସଂସଦ ଅଧିବେଶନରେ ଅନେକ ନେତା ମାସ୍କ ପିନ୍ଧିବା ଆରମ୍ଭ କରିଛନ୍ତି।